ଆତଙ୍କବାଦୀଙ୍କ ଆଖିବୁଜା ଗୁଳିବର୍ଷା : ମସ୍‌ଜିଦ୍‌ରେ ନରସଂହାର, ୪୯ ମୃତ

ଲାଇଭ୍‌ ଭିଡିଓ ଛାଡ଼ିଥିଲା ଆତଙ୍କବାଦୀ, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ୍‌ ଟିମ୍‌

ୱେଲିଂଟନ : ନ୍ୟୁଜିଲାଣ୍ଡ୍‌ର ଖ୍ରୀଷ୍ଟ୍‌ଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଆଜି ଅଜ୍ଞାତ ଆକ୍ରମଣକାରୀ ଆଖିବୁଜା ଗୁଳିବର୍ଷା କରିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣ। ପ୍ରଥମେ ଅଲ୍‌ ନୁର ମସ୍‌ଜିଦ୍‌ରେ ଆକ୍ରମଣକାରୀ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିମାଡ଼ କରିବାରୁ ଘଟଣାସ୍ଥଳରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଲେନବୁଦ୍‌ ମସ୍‌ଜିଦ୍‌ରେ ହୋଇଥିବା ଆକ୍ରମଣରେ ୧୦ ଜଣ ପ୍ରାଣ ହରାଇଥିଲେ। ଏହାପରେ ଆହତଙ୍କ ମଧ୍ୟରୁ ୯ ଜଣଙ୍କ ହସ୍ପିଟାଲ୍‌ରେ ମୃତ୍ୟୁ ଘଟିଥିବା ସରକାର ଘୋଷଣା କରିଛନ୍ତି।

ପ୍ରଥମେ ଜଣେ ଆତଙ୍କବାଦୀ ଅଲ୍‌ ନୁର ମସ୍‌ଜିଦ୍‌କୁ ଟାର୍ଗେଟ୍‌ କରିଥିଲା ଏବଂ ୨୦ ମିନିଟ୍‌ ଧରି ଭୟଙ୍କର ଗୁଳିବର୍ଷା କରିଥିଲା। ଏହାପରେ ସହର ଉପକଣ୍ଠରେ ଥିବା ଲେନ୍‌ବୁଦ ମସ୍‌ଜିଦ୍‌ରେ ଆକ୍ରମଣ କରାଯାଇଥିଲା। ଅଲ୍‌ ନୁର ମସ୍‌ଜିଦ୍‌ରେ ଗୁଳିବର୍ଷା ସମୟରେ ବାଂଲାଦେଶ କ୍ରିକେଟ୍‌ ଟିମ୍‌ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ସେମାନେ ସୁରକ୍ଷିତ ଅବସ୍ଥାରେ ବାହାରି ଯିବାରେ ସକ୍ଷମ ହୋଇଥିଲେ।

ମସ୍‌ଜିଦ୍‌ ଆକ୍ରମଣ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି ଏବଂ ଦୁଇଟି ସ୍ଥାନରେ ଶକ୍ତିଶାଳୀ ବିସ୍ଫୋରକ ନିଷ୍କ୍ରିୟ କରାଯାଇଛି। ଏହି ବିସ୍ଫୋରକ ଦ୍ବାରା ଭୟାବହ ସ୍ଥିତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କ ଯୋଜନା ରହିଥିଲା ବୋଲି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଆର୍ଡର୍ନ କହିଛନ୍ତି । ଦେଶ ପାଇଁ ଆଜି ଏକ କଳାଦିନ ଏବଂ ମାନବତାର ଶତ୍ରୁମାନେ ନରସଂହାର କରି ଆମକୁ ଅସ୍ଥିର କରିବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି। ଯେଉଁଭଳି ଢଙ୍ଗରେ ମସ୍‌ଜିଦ୍‌ରେ ଆକ୍ରମଣ ହେଲା ତାହା ଏକ ଅସାଧାରଣ ହିଂସାର ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୃତାହତଙ୍କ ମଧ୍ୟରେ ଅନେକ ପ୍ରବାସୀ ଏବଂ ଶରଣାର୍ଥୀ ଅଛନ୍ତି। ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ପୁଲିସ ସେମାନଙ୍କୁ ଜେରା ଚଳାଇଛି ଏବଂ ଖୁବ୍‌ଶୀଘ୍ର ବିସ୍ତୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପ୍ରଧାନମନ୍ତ୍ରୀ ଆର୍ଡର୍ନ କହିଛନ୍ତି।

ଅପରପକ୍ଷେ, ଗିରଫଙ୍କ ମଧ୍ୟରେ ଥିବା ମୁଖ୍ୟ ଆକ୍ରମଣକାରୀ ବ୍ରେଣ୍ଟେନ୍‌ ଟେରେଣ୍ଟ ଜଣେ ଅଷ୍ଟ୍ରେଲୀୟ ନାଗରିକ ବୋଲି ଜଣାପଡ଼ିଛି। ଏହି ୨୮ ବର୍ଷୀୟ ଯୁବକ ଗୁଳିକାଣ୍ଡ ସମୟରେ ଫେସ୍‌ବୁକ୍‌ରେ ଲାଇଭ୍‌ ଭିଡିଓ ଜାରି କରିଥିଲା। ଆକ୍ରମଣକାରୀ ନିଜ ହାତରେ କ୍ୟାମେରା ଧରି ଏହି ଲାଇଭ୍‌ ରେକର୍ଡିଂ ୨୦ ମିନିଟ୍‌ ପର୍ଯ୍ୟନ୍ତ କରିଥିବା ଜଣାପଡ଼ିଛି। ଏହି ଆକ୍ରମଣ ଯୋଜନା କାହିଁକି କରାଗଲା ସେ ସଂପର୍କରେ ଆକ୍ରମଣକାରୀ ଅନ୍‌ଲାଇନ୍‌ରେ ତା’ର ନିଜର ମତ ଉଲ୍ଲେଖ କରିଛି। ଆକ୍ରମଣକାରୀ ଜଣେ ଅଷ୍ଟ୍ରେଲୀୟ ଦକ୍ଷିଣପନ୍ଥୀ ଆତଙ୍କବାଦୀ ବୋଲି ତଦନ୍ତରୁ ଜଣାପଡ଼ିଛି ଏବଂ ଅଷ୍ଟ୍ରେଲିଆ ସରକାର ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ କହିଛନ୍ତି ଯେ ଏହି ଯୁବକ ଜଣେ ଦକ୍ଷିଣପନ୍ଥୀ ଆତଙ୍କବାଦୀ ଭାବେ ଚିହ୍ନଟ ହୋଇଛି ଏବଂ ତା’ର ସଂଗଠନ ସଂପର୍କରେ ଅଧିକ ଖୋଳତାଡ଼ ଚାଲିଛି। ଏହି ଆକ୍ରମଣକୁ ବିଶ୍ବ୍ବ୍ବବ୍ୟାପୀ ତୀବ୍ର ନିନ୍ଦା କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଅଲ୍‌ନୁର ମସ୍‌ଜିଦ୍‌ରେ ଆକ୍ରମଣକାରୀ ହେଲମେଟ୍‌ ପିନ୍ଧି ମସ୍‌ଜିଦ୍‌ରେ ପ୍ରବେଶ କରିବା ପରେ ଏକ ଉଚ୍ଚସ୍ଥାନରେ ପୋଜିସନ୍‌ ନେଇ ସ୍ବୟଂଚାଳିତ ବନ୍ଧୁକରୁ ଗୁଳିବର୍ଷା ଆରମ୍ଭ କରିଥିଲା। ସେ ସାମରିକ ପୋଷାକ ପିନ୍ଧିଥିଲା। ମସ୍‌ଜିଦ୍‌ରେ ଆଜି ଶୁକ୍ରବାର ନମାଜ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଉଭୟ ମସ୍‌ଜିଦ୍‌ରେ ପ୍ରାୟ ୩୫୦ ଲୋକ ଉପସ୍ଥିତ ଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର