ବିହାରରେ ବିଷାକ୍ତ ମଦ ପିଇ ୫ ମୃତ, ୫ ଅଧିକାରୀ ସମେତ ୧୭ ପୁଲିସ କର୍ମଚାରୀ ନିଲମ୍ବିତ

ପାଟଣା: ବିହାରରେ ମଦ ବିକ୍ରି ଓ କିଣା ନିଷିଦ୍ଧ ଥିବା ସତ୍ତ୍ୱେ, ରୋହତାସ ଓ ଭୋଜପୁର ଜିଲ୍ଲାରେ ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଏହି ଘଟଣାରେ ୨ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ପରେ କଛଓ୍ଵା ପୁଲିସ ଷ୍ଟେସନର ଏସଏଚ୍‌ଓ ସମେତ ୧୭ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିନ କରାଯାଇଛି।

ଛଟ ପୂଜା ପରେ ମଦ ପିଇବାକୁ ଯାଇଥିଲେ
ପ୍ରଥମ ଘଟଣା ରୋହତାସ ଜିଲ୍ଲାର କଛଓ୍ଵା ଅନ୍ତର୍ଗତ ଦନଓ୍ଵାର ଗ୍ରାମରେ ଘଟିଛି। ଏଠାରେ କଛଓ୍ଵାରେ ବେଆଇନ ଭାବରେ ମଦ ପ୍ରସ୍ତୁତି ଚାଲିଥିଲା। ଛଠ ପୂଜା ପରେ ଶୁକ୍ରବାର ସନ୍ଧ୍ୟାରେ ସନଓ୍ଵାର ଗ୍ରାମର ୬ଜଣ ମଦ ପିଇବାକୁ ଯାଇଥିଲେ। ସେମାନେ ମଦ ପିଇବା ପରେ ନିଜ ନିଜ ଘରକୁ ଫେରିଥିଲେ। କିନ୍ତୁ ରାତିରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଯାଇଥିଲା। ସକାଳ ପାହିଲା ବେଳକୁ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ୨ଜଣଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୨ୟ ଘଟଣା ଭୋଜପୁର ଜିଲ୍ଲା ତରାରୀ ଗ୍ରାମର ଘଟିଛି। ଏଠରେ ମଧ୍ୟ ଜଣେ ଲୋକ ବିଷାକ୍ତ ମଦ ପିଇବାରୁ ମୃତ୍ୟୁ ଘଟିଛି। ମଦ ବିକ୍ରି ନିଷିଦ୍ଧ ଥିବା ସତ୍ତ୍ୱେ କଛବା ଗ୍ରାମରେ ମଦ ପ୍ରସ୍ତୁତି ହେଉଛି। ଏହି ଘଟଣା ପରେ ଗ୍ରାମର ଲୋକେ ଉତ୍ତେଜିତ ହୋଇଛନ୍ତି। ସେମାନଙ୍କର କହିବାର ହେଲା ଯେ, ପୁଲିସର ଜାଣତରେ ମଦ ପ୍ରସ୍ତୁତି ଚାଲିଥିଲା।

୫ ଅଧିକାରୀ ୧୨ କନଷ୍ଟେବଲ ନିଲମ୍ବିତ
ରୋହତାସ ଜିଲ୍ଲାର ଡିଆଇଜି ମୋହମଦ ରହମାନ ଗଣମାଧ୍ୟମକୁ କହିଛନ୍ତି, ମଦ ପିଇବାରୁ ସମସ୍ତଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ କଛଓ୍ଵା ଥାନାର ସମସ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବା ଟମ୍‌ରେ ୫ ଅଧିକାରୀ ଓ ୧୨ କନଷ୍ଟେବଲ ସାମିଲ ଅଛନ୍ତି। ଅନ୍ୟପକ୍ଷରେ ଘଟଣା ପାଇଁ ପୁଲିସ ଦାୟୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର