ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ଭଳି ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟର ଏହି ୫ ବିଚାରପତି

ନୂଆଦିଲ୍ଲୀ: ଏକ ଐତିହାସିକ ରାୟରେ ସୁପ୍ରିମ୍‌କୋର୍ଟ ସହମତିରେ ହେଉଥିବା ସମଲିଙ୍ଗୀ ସଂପର୍କ ଆଉ ଅପରାଧ ନୁହେଁ ବୋଲି ଘୋଷଣା କରିଛନ୍ତି। ଇଣ୍ଡିଆନ୍‌ ପେନାଲ୍‌ କୋଡେ (ଆଇପିସି)ର ଧାରା ୩୭୭ ଅନୁଯାୟୀ ସହମତି ଭିତ୍ତିରେ ଅପ୍ରାକୃତିକ ଯୌନ ସଂପର୍କ ଅପରାଧ ପରିସରଭୁକ୍ତ ଥିଲା। ଆଜି କିନ୍ତୁ ସର୍ବୋଚ୍ଚ୍‌ ଅଦାଲତ ଧାରା ୩୭୭କୁ ବେଆଇନ କହିବା ସହ ସମଲିଙ୍ଗୀ ଯୌନ ସଂପର୍କକୁ ବୈଧ ବୋଲି ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଦେଶର ସମଲିଙ୍ଗୀ ସମୁଦାୟ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି। ଧାରା ୩୭୭ ସେମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତାରେ ଅନ୍ତରାୟ ସୃଷ୍ଟି କରୁଥିଲା ବୋଲି ସେମାନେ ଦୃଢ଼ ମତ ପୋଷଣ କରୁଥିଲେ।

ଏହି ଐତିହାସିକ ରାୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଇଛନ୍ତିି। ଗତକାଲି ଠାରୁ ସାରା ଦେଶର ନଜର ଏହି ଖଣ୍ଡପୀଠର ବିଚାର ଉପରେ ନିବଦ୍ଧ ଥିଲା। ବହୁ କ୍ରାନ୍ତକାରୀ ରାୟ ଦେଇ ଚର୍ଚ୍ଚିତ ଥିବା ଜଷ୍ଟିସ୍‌ ମିଶ୍ରଙ୍କ ସହି ଏହି ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ୍‌ ରୋହିନଟନ୍‌ ଫଲି ନରିମାନ୍‌, ଜଷ୍ଟିସ୍‌ ଏ.ଏମ୍‌.ଖନ୍‌ଓ୍ଵାଲିକର,ଜଷ୍ଟିସ ଡି.ଓ୍ଵାଇ ଚନ୍ଦ୍ରଦୂତ ଏବଂ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା।

ଓଡ଼ିଶାରୁ ଆଇନଜୀବୀ ଭାବେ ପେସାଦାର ଜୀବନ ଆରମ୍ଭ କରିଥିବା ମୁଖ୍ୟବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଅକ୍ଟୋବର ୨ରେ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ବିଦେଶରେ ଆଇନ ବ୍ୟବସାୟ କରୁଥିବା ଜଷ୍ଟିସ୍‌ ନରିମାନ୍‌ ତୁଳନାତ୍ମକ ସାମ୍ବିଧାନିକ ଆଇନ ଓ ଦେଓ୍ଵାନି ଆଇନର ଜଣେ ବିଶାରଦ। ସେ ଦୀର୍ଘ ୩୫ ବର୍ଷ ଧରି ଆଇନ ପେସାରେ ରହିବା ପରେ ସିଧା ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ସେହିପରି ହିମାଚଳ ପ୍ରଦେଶ ଓ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟବିଚାରପତି ରହିଥିବା ଏ.ଏମ୍‌. ଖାନଓ୍ଵାଲିକର ୨୦୧୬ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିଲେ। ଅନ୍ୟ ପକ୍ଷରେ ବିଦେଶରେ ଆଇନ ପାଠ ପଢ଼ିଥିବା ଡି.ଓ୍ଵାଇ.ଚନ୍ଦ୍ରଚୂଡ ଆହ୍ଲାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ରହିବା ପରେ ୨୦୧୬ରେ ସୁପ୍ରିମକୋର୍ଟ ବିଚାରପତି ହୋଇଥିଲେ। ଦୀର୍ଘ ୩୦ ବର୍ଷ ଧରି ଆଇନଜୀବୀ ଭାବେ କାମ କରିଥିବା ସୁପ୍ରିମ କୋର୍ଟର ବରିଷ୍ଠ ଆଡଭୋକେଟ୍‌ ଇନ୍ଦୁ ମାଲହୋତ୍ରା ୨୦୧୭ ରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଜଷ୍ଟିସ୍‌ ମାଲହୋତ୍ରା ହେଉଛନ୍ତି ଆଇନଜୀବୀରୁ ସିଧା ସୁପ୍ରିମକୋର୍ଟ ବିଚାରପତି ହୋଇଥିବା ପ୍ରଥମ ମହିଳା।

ସମ୍ବନ୍ଧିତ ଖବର