କୋଭିଡ୍ ପାଇଁ ୫ ଟଙ୍କିଆ ଆର୍ଥ୍ରାଇଟିସ୍‌ ଔଷଧ!

ଚେନ୍ନାଇ: ଆଣ୍ଠୁଗଣ୍ଠି ବାତ(ଆର୍ଥ୍ରାଇଟିସ୍‌) ପାଇଁ ବ୍ୟବହୃତ ହେଉଥିବା ଏକ ଅତି ଶସ୍ତା ଔଷଧକୁ ଅତିଶୟ କୋଭିଡ୍-୧୯ ରୋଗୀଙ୍କ ଠାରେ ନୈଦାନିକ ପରୀକ୍ଷଣ କରିବାକୁ ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍ଆର୍) ବିଚାର କରୁଛିା ବିଶେଷ କରି ‘ସାଇଟୋକିନ୍ ଷ୍ଟର୍ମ’ ନାମକ ଏକ ପାର୍ଶ୍ବ ପ୍ରତିକ୍ରିୟା ପ୍ରଭାବରେ ମୃତ୍ୟୁମୁଖରେ ପଡୁଥିବା କୋଭିଡ୍ ରୋଗୀଙ୍କୁ ‘ଇଣ୍ଡୋମେଥାସିନ୍’ ନାମକ ଏହି ୫ ଟଙ୍କିଆ କ୍ୟାପସୁଲ୍ ପ୍ରୟୋଗ କରିବା ଲାଗି ଆଇସିଏମ୍ଆର୍ ପାଖରେ ୧୮୫ଟି ପ୍ରସ୍ତାବ ରହ‌ିଥିବା ଏହାର ନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି। ତେବେ ‘ସାଇଟୋକିନ୍ ଷ୍ଟର୍ମ’ର ଉପଚାର ପାଇଁ ସାଧାରଣ ଉପଯୋଗ କରାଯାଉଥିବା ‘ଟସିଲିଜୁମାବ୍’ ନାମକ ଔଷଧର ମୂଲ୍ୟ ୬୦ ହଜାର ଟଙ୍କା ରହିଥିବା ବେଳେ କୋଭିଡ୍ ରୋଗୀଙ୍କ ଠାରେ ଦେଖାଦେଉଥିବା ଏହି ଅସ୍ବାଭାବକ ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିବା ପାଇଁ ଏହି ଶସ୍ତା ‘ଇଣ୍ଡୋମେଥାସିନ୍’ ଯଥେଷ୍ଟ ବୋଲି ଅନେକ ଚିକିତ୍ସାବିତ୍ ଦାବି କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ଚେନ୍ନାଇରେ ଅବସ୍ଥାପିତ ବୃକ୍‌କ ପ୍ରତିରୋପଣ ବିଶେଷଜ୍ଞ ଡା. ରାଜନ୍ ରବିଚନ୍ଦ୍ରନ୍ ୧୯୮୯ ମସିହାରେ ଜଣେ ରୋଗୀର ବୃକ୍‌କ ପ୍ରତିରୋପଣ ବେଳେ ସମ୍ଭାବ୍ୟ ‘ସାଇଟୋକିନ୍ ଷ୍ଟର୍ମ’ର ଉପଚାର ପାଇଁ ପ୍ରଥମ କରି ‘ଇଣ୍ଡୋମେଥାସିନ୍’ ପ୍ରୟୋଗ କରି ସଫଳ ହୋଇଥିଲେ। ମାତ୍ର କୋଭିଡ୍ ରୋଗୀଙ୍କ ଠାରେ ଏହାର ନୈଦାନିକ ପରୀକ୍ଷଣ ପାଇଁ ସେ ଆଇସିଏମ୍ଆର୍ ସମେତ ଆମେରିକା ଓ ବ୍ରିଟେନ୍‌ର ପ୍ରତିପକ୍ଷ ଜାତୀୟ ଭେଷଜ ସଂସ୍ଥାକୁ ପତ୍ର ଲେଖି ପରାମର୍ଶ କରିଛନ୍ତି। ତେବେ ୟୁକେରେ ଏହା ଗୃହୀତ ହୋଇଥିବା ବେଳେ ଆସିଏମ୍ଆର୍ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇନାହିା। ଅପରପକ୍ଷେ, ଆମେରିକାରେ ୬୦ ଜଣ କୋଭିଡ୍ ରୋଗୀଙ୍କ ଠାରେ ଏହା ଫଳପ୍ରଦ ହୋଇଥିବା ଜଣାଯାଇଛି। ଏପରିକି ମ୍ୟାଲେରିଆ ଔଷଧ ‘ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍’ର ଉପଯୋଗ ଅପେକ୍ଷା ‘ଇଣ୍ଡୋମେଥାସିନ୍’ର ପ୍ରୟୋଗ ଅଧିକ ସଫଳ ସାବ୍ୟସ୍ତ ହୋଇଥିବା ଆମେରିକାର ବ୍ରୁକଲିନ୍‌ ସ୍ଥିତ ଚିକିତ୍ସା ବିଶେଷଜ୍ଞ ଡା. ଜୋନାଥନ୍ ବ୍ରୁକ୍ଲିନ୍ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର