କଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୫ ପାକ୍‌ ଆତଙ୍କବାଦୀ ନିପାତ

ଶ୍ରୀନଗର: ଉତ୍ତର କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଆତଙ୍କବାଦୀଙ୍କ ବଡ଼ ଧରଣର ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିଦେଇଛନ୍ତି। ଶ୍ରୀନଗରଠାରୁ ୧୨୦ କିମି ଦୂର ଉତ୍ତର କଶ୍ମୀରର ତଙ୍ଗଧାର ସେକ୍ଟରରେ ସେନା କାର୍ଯ୍ୟାନୁଷ୍ଠାନରେ ୫ ଜଣ ପାକିସ୍ତାନୀ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏହି ସେକ୍ଟରର ଅନ୍ୟ ଦୁଇଟି ସ୍ଥାନରେ ମଧ୍ୟ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ପାଇଁ ସେନାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଶ୍ରୀନଗରରେ ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ କହିଛନ୍ତି ଯେ କୁପଓ୍ଵାଡ଼ା ସେକ୍ଟରରେ ଲସ୍କର ଓ ଜୈଶ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବାରେ ସେନାକୁ ବଡ଼ ସଫଳତା ମିଳିଛି । ଗତକାଲି ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ ପାକିସ୍ତାନକୁ ସୀମାରେ ଶାନ୍ତି ରକ୍ଷା ପାଇଁ କହିଥିଲେ। ରାଓ୍ଵତ କହିଥିଲେ ସୀମା ଅଂଚଳରେ ଆମେ ଶାନ୍ତି ଚାହୁଛୁ, କିନ୍ତୁ ପାକିସ୍ତାନ ଲଗାତାର ଅସ୍ତ୍ରବିରତି ଉଲ୍ଳଂଘନ କରୁଥିବାରୁ ଅନେକ ଧନଜୀବନ ହାନି ହେଉଛି। ଏଭଳି ସ୍ଥିତିରେ ଭାରତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଇବ ନାହିଁ ବୋଲି ସେ କହିଥିଲେ। ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସୁଗମ କରିବା ପାଇଁ ପାକିସ୍ତାନ ଆଜି ମଧ୍ୟ ୩ଟି ସେକ୍ଟର ଅଂଚଳରେ ଗୁଳିବର୍ଷା କରିଥିଲା। ତେବେ ଭାରତୀୟ ସେନା ସର୍ବାଧିକ ସତର୍କ ଥିବାରୁ ପାକ୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଯାଇଛି।

ସମ୍ବନ୍ଧିତ ଖବର