କୁଲ୍‌ଗାମରେ ଏନ୍‌କାଉଣ୍ଟର: ୫ ଆତଙ୍କବାଦୀ ନିପାତ

ଶ୍ରୀନଗର: ଦକ୍ଷିଣ କଶ୍ମୀରର କୁଲ୍‌ଗାମରେ ଆଜି ସୁରକ୍ଷା ବାହିନୀର ଏକ ବଡ଼ ଅପରେସନ ସଫଳ ହୋଇଛି ଏବଂ ଏଥିରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି। କୁଲଗାମ୍‌ରେ ଦୀର୍ଘ ୮ ଘଣ୍ଟା ଧରି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା ଏବଂ ଏକ ପରିତ୍ୟକ୍ତ ଘରେ ଲୁଚିଥିବା ସମସ୍ତ ୫ ଆତଙ୍କବାଦୀ ନିପାତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଅନ୍ୟ ସାମଗ୍ରୀକୁ ସୁରକ୍ଷା ବାହିନୀ ଜବତ କରିଛି। କୁଲଗାମ୍‌ର କେଳମ୍‌ ଅଂଚଳରେ ୫ ଆତଙ୍କବାଦୀ ବିପୁଳ ଅସ୍ତ୍ରଶସ୍ତ୍ର ସହ ଏକ ଘରେ ଲୁଚି ରହିଥିବା ଖବର ମିଳିବା ପରେ ଆଜି ଭୋର୍‌ ୪ଟାରେ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ସମଗ୍ର ଗ୍ରାମକୁ ଘେରାବନ୍ଦୀରେ ରଖିଥିବାରୁ ଆତଙ୍କବାଦୀ ଖସିବାକୁ ବାଟ ପାଇନଥିଲେ। ପ୍ରାୟ ୬ ଘଣ୍ଟାର ଗୁଳି ବିନିମୟ ପରେ ସେନା ବାହିନୀ ଆତଙ୍କବାଦୀ ଲୁଚିଥିବା ୨ଟି ଘରକୁ ଧ୍ବଂସ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସମସ୍ତ ଆତଙ୍କବାଦୀ ନିପାତ ହୋଇଥିଲେ।

ଏନ୍‌କାଉଣ୍ଟର ପରେ ସ୍ଥାନୀୟ ଯୁବକମାନେ ସୁରକ୍ଷା ବାହିନୀ ବିରୋଧରେ ହିଂସାତ୍ମକ ପ୍ରଦର୍ଶନ କରିଥିଲେ। ସେମାନେ ପ୍ରବଳ ପଥର ମାଡ଼ କରିବାରୁ ସିଆର୍‌ପିଏଫ୍‌ ଯବାନ ସେମାନଙ୍କୁ ଘଉଡ଼ାଇବା ଲୁହବୁହା ଗ୍ୟାସ୍‌ ସେଲ୍‌ ପ୍ରୟୋଗ କରିଥିଲେ। ତେବେ ପଥର ମାଡ଼ରେ ୪ ଜଣ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏନ୍‌କାଉଣ୍ଟରକୁ ବିରୋଧ କରି ହିଂସା ବଢ଼ୁଥିବାରୁ ଦକ୍ଷିଣ କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ରଖାଯାଇଛି। ଏହା ବ୍ୟତୀତ ବାନିହାଲ ଏବଂ ବାରମୁଳା ମଧ୍ୟରେ ଥିବା ରେଳ ସେବା ମଧ୍ୟ ବନ୍ଦ ରଖାଯାଇଛି।

ଗ୍ରେନେଡ୍‌ ଆକ୍ରମଣ, ୭ ଯବାନଙ୍କ ସମେତ ୧୧ ଆହତ
ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲ୍‌ଗାମରେ ଆଜି ସୁରକ୍ଷା ବାହିନୀ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଆତଙ୍କବାଦୀମାନେ ଶ୍ରୀନଗର ଲାଲ ଚୌକ୍‌ରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏଥିରେ ସିଆର୍‌ପିଏଫ୍‌ର ୩ ଜଣ ଯବାନ, ୪ ପୁଲିସ କର୍ମୀ ଏବଂ ୪ ଜଣ ସ୍ଥାନୀୟ ବାସିନ୍ଦା ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଆତଙ୍କବାଦୀଙ୍କୁ ଠାବ କରିବାକୁ ଅପରେସନ୍‌ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର