ସହିଦଙ୍କ ଭଉଣୀ ବାହାଘର କଲେ ବା‌ୟୁସେନା କମାଣ୍ଡୋ

0

ନୂଆଦିଲ୍ଲୀ : ଯବାନମାନେ କେବଳ ଶତ୍ରୁମାନଙ୍କ କବଳରୁ ଦେଶବାସୀଙ୍କୁ ସୁରକ୍ଷା ଦେଉନାହାନ୍ତି, ସେମାନଙ୍କ ହୃଦୟରେ ମଧ୍ୟ ମାନବିକତା ଭରପୂର ହୋଇ ରହିଛି। ଏହାର ନିଦର୍ଶନ ଏବେ ଦେଖିବାକୁ ମିଳିଛି ଭାରତୀୟ ବାୟୁସେନାର ଜଣେ ସହିଦ ଯବାନଙ୍କ ଭଉଣୀ ବାହାଘର ବେଳେ।

ସୂଚନା ଅନୁଯାୟୀ, ବାୟୁସେନା ଯବାନ ଜ୍ୟୋତି ପ୍ରକାଶ ନିରଳା ୨୦୧୭ ନଭେମ୍ବର ୧୮ରେ ଜମ୍ମୁ କଶ୍ମୀର ବାନ୍ଦିପୁରା ଜିଲ୍ଲାରେ ଆତଙ୍କବାଦୀ ବିରୋଧରେ ଲଢ଼ି ସହିଦ ହୋଇ ଯାଇଥିଲେ। ଜ୍ୟୋତି ପ୍ରକାଶଙ୍କ ଘର ବିହାରର ରୋହତାସ୍‌ ଜିଲ୍ଲା ସ୍ଥିତ କାରାକୋଟ୍‌ ବ୍ଲକ୍‌ର ବଦିଲାଦିହ ଗ୍ରାମରେ। ଦେଶ ପାଇଁ ପ୍ରାଣବଳି ଦେଇଥିବା ଏହି ଯବାନଙ୍କ ଭଉଣୀ ଶଶିକଳାଙ୍କର ନିକଟରେ ବାହାଘର ସରିଛି। ଭଉଣୀ ବାହାଘର ଧୁମ୍‌ଧାମ୍‌ରେ କରିବେ ବୋଲି ଜ୍ୟୋତିପ୍ରକାଶ ବଞ୍ଚିଥିବା ବେଳେ ସ୍ବପ୍ନ ଦେଖିଥିଲେ।

କିନ୍ତୁ ଭାଗ୍ୟର ବିଡ଼ମ୍ବନା। ଭଉଣୀ ବାହାଘର କରିବା ପୂର୍ବରୁ ସେ ଦେଶ ପାଇଁ ସହିଦ ହୋଇ ଯାଇଥିଲେ। ହେଲେ ଜ୍ୟୋତିପ୍ରକାଶଙ୍କ ସହକର୍ମୀମାନେ ତାଙ୍କ ସ୍ବପ୍ନକୁ ସାକାର କରିଛନ୍ତି ଏବଂ ଭାଇ ଭାବେ ତାଙ୍କ ଭଉଣୀଙ୍କର ବାହାଘର କରିଛନ୍ତି। ବାୟୁସେନାର ୫୦ ଜଣ କମାଣ୍ଡୋ ଜ୍ୟୋତି ପ୍ରକାଶଙ୍କ ଭଉଣୀ ବାହାଘରରେ ସବୁ ଦାୟିତ୍ବ ତୁଲାଇଛନ୍ତି। ଶଶିକଳାଙ୍କ ବାହାଘରର ୨ ଦିନ ପୂର୍ବରୁ ୫୦ ବାୟୁ‌ସେନା କମାଣ୍ଡୋ ତାଙ୍କ ବାସଭବନରେ ପହଞ୍ଚିଥିଲେ। ବାହାଘରର ସମସ୍ତ ଆୟୋଜନ କରିଥିଲେ। ବାହାଘର ଖର୍ଚ୍ଚ ପାଇଁ ସେମାନେ ମଧ୍ୟ ୫ ଲକ୍ଷ ଟଙ୍କା ଦେଇଥିଲେ। ସର୍ବୋପରି ବା‌ହାଘର ସରିବା ପର୍ଯ୍ୟନ୍ତ ରହି ଶଶିକଳାଙ୍କୁ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ।

ଜ୍ୟୋତିପ୍ରକାଶ ବାପା ତେଜ ନାରାୟଣ ସିଂହ ଜଣେ କୃଷକ। ପୁଅକୁ ହରାଇ ଦେଇ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଝିଅ ବାହାଘର ପାଇଁ ସେ ସୌଜନ୍ୟ ପୂର୍ବକ ଏୟାର ଚିଫ୍‌ ମାର୍ସଲ୍‌ ଏବଂ ଗରୁଡ଼ କମ‌ାଣ୍ଡୋ ୟୁନିଟ୍‌କୁ ନିମନ୍ତ୍ରଣପତ୍ର ପଠାଇଥିଲେ। କିନ୍ତୁ ସେ ଆଶା କରିନଥିଲେ ଯେ ଏକାବେଳେ ୫୦ ଜଣ ବାୟୁସେନା କମାଣ୍ଡୋ ତାଙ୍କ ଝିଅର ବାହାଘର ଉତ୍ସବରେ ଯୋଗ ଦେବେ ଏବଂ ବାହାଘରର ସବୁ ଦାୟିତ୍ବ ନେବେ। ଖୁସିରେ ଭାବବିହ୍ବଳ ହୋଇ ତେଜନାରାୟଣ ସିଂହ କହିଛନ୍ତି ସେ ଗୋଟିଏ ପୁଅକୁ ହରାଇ ଦେଇଛନ୍ତି କିନ୍ତୁ ତାଙ୍କ ପାଖରେ ଏବେ ୫୦ ପୁଅ ଅଛନ୍ତି। ଜ୍ୟୋତିପ୍ରକାଶଙ୍କ ଭଉଣୀ ଶଶିକଳା ମଧ୍ୟ ଅନୁଭବ କରିଛନ୍ତି ଯେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରୁ ଭାଇମାନେ ତାଙ୍କ ବାହାଘର ଦାୟିତ୍ବ ନେଇଛନ୍ତି। ବାୟୁସେନା କମାଣ୍ଡୋଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.