ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶ ଲିବିୟାରେ ଗୃହଯୁଦ୍ଧ ପରିସ୍ଥିତି ଦିନକୁ ଦିନ ଅଧିକ ସଂଗୀନ ହେବାରେ ଲାଗିଛି । ଲିବିୟାରେ ଶାସନ କରୁଥିବା ଜାତିସଂଘ ସମର୍ଥିତ ସରକାର ଓ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଏବେ ଘମାଘୋଟ ଲଢେଇ ଚାଲିଛି । ସବୁଠାରୁ ବଡ଼ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ କରୁଛନ୍ତି ଖଲିଫା ହପତାର । ତାଙ୍କର ସୈନ୍ୟମାନେ ଗତ ୫ ତାରିଖରୁ ଲିବିୟାର ରାଜଧାନୀ ତ୍ରିପୋଲି ଉପରେ ଅଧିକାର ପାଇଁ ଅଗ୍ରସର ହେଉଛନ୍ତି । ଏହି ଲଢେଇରେ ଏପର୍ଯ୍ୟନ୍ତ ପ୍ରାୟ ୨୦୫ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଲେଣି । ଏହି ଗୃହଯୁଦ୍ଧ ଫଳରେ ସେଠାରେ ଥିବା ଲୋକମାନଙ୍କ ଅବସ୍ଥା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହି ଦେଶରେ ଏବେ ପ୍ରାୟ ୫୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏସଂପର୍କରେ ଟ୍ଵିଟ କରି କେନ୍ଦ୍ର ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଯେ “ଲିବିୟାରେ ଏବେ ପ୍ରାୟ ୫୦୦ରୁ ଅଧିକ ଭାରତୀୟ ଫସି ରହିଛନ୍ତି । ତ୍ରିପୋଲିର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଆପଣଙ୍କର ଯଦି କୌଣସି ବନ୍ଧୁବାନ୍ଧବ ସେଠାରେ ଅଛନ୍ତି, ସେମାନଙ୍କୁ କୁହନ୍ତୁ ତୁରନ୍ତ ସେ ଦେଶ ଛାଡିବାକୁ । କାରଣ ପରେ ସେମାନଙ୍କୁ ଆଉ ଉଦ୍ଧାର କରିବା ସମ୍ଭବ ହେବ ନାହିଁ ।”