ଜବାହର ନବୋଦୟ ବିଦ୍ୟାଳୟମାନଙ୍କରେ ଚଳିତ ଶିକ୍ଷାବର୍ଷ ଠାରୁ ୫୦୦୦ ସିଟ୍‌ ବଢ଼ିବ: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଥିବା ଜବାହର ନବୋଦୟ ଆବାସିକ ବିଦ୍ୟାଳୟମାନଙ୍କରେ ଚଳିତ ୨୦୧୯-୨୦ ଶିକ୍ଷାବର୍ଷ ଠାରୁ ୫୦୦୦ ସିଟ୍‌ ବଢ଼ାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଡକର୍‌ ଆଜି (ସୋମବାର) ଘୋଷଣା କରିଛନ୍ତି।

ସଂପ୍ରତି ଦେଶର ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳମାନଙ୍କରେ ରହିଥିବା ଜବାହର ନବୋଦୟ ଆବାସିକ ବିଦ୍ୟାଳୟଗୁଡ଼ିକରେ ସର୍ବମୋଟ ୪୬,୬୦୦ଟି ସିଟ୍‌ ରହିଛି। ଅର୍ଥାତ୍‌ ୪୬,୬୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ତେବେ, ଚଳିତ ୨୦୧୯-୨୦ ଶିକ୍ଷା ବର୍ଷଠାରୁ ନବୋଦୟ ଆବାସିକ ବିଦ୍ୟାଳୟଗୁଡ଼ିକରେ ଅଧିକ ୫୦୦୦ ସିଟ୍‌ର ବ୍ୟବସ୍ଥା କରାଯିବ। ଫଳରେ, ଏହି ଏହି ସମସ୍ତ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ସଂଖ୍ୟା ୫୧,୬୦୦କୁ ବୃଦ୍ଧି ପାଇବ। ଦେଶର ଗ୍ରାମାଞ୍ଚଳମାନଙ୍କରେ ଶିକ୍ଷାର ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରୀ ଜାଭେଡକର।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ଗ୍ରାମାଞ୍ଚଳମାନଙ୍କରେ ରହିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ସମସ୍ତ ଆବାସିକ ଜବାହର ନବୋଦୟ ବିଦ୍ୟାଳୟମାନଙ୍କରେ ସଂପୂର୍ଣ୍ଣ ବିନାମୂଲ୍ୟରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରଖାଯାଇ ଶିକ୍ଷାପ୍ରଦାନ କରାଯାଇ ଥାଏ। ଏ ବାବଦରେ ଛାତ୍ରଛାତ୍ରୀମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିଥାଆନ୍ତି। ୨୦୧୯-୨୦ ଶିକ୍ଷା ବର୍ଷରେ ଜବାହର ନବୋଦୟ ଆବାସିକ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବା ପାଇଁ ଦେଶର ୩୧.୧୦ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର