ମାଦ୍ରାସାରେ ପଣବନ୍ଦୀ ଥାଇ ଯୌନ ଶୋଷଣର ଶିକାର ହୋଇଥିବା ୫୧ ଝିଅଙ୍କୁ ଉଦ୍ଧାର କଲା ପୁଲିସ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର  ଶାହାଦତଗଞ୍ଜ ଅଞ୍ଚଳରେ ଥିବା ଗୋଟିଏ ମାଦ୍ରାସାର ମ୍ୟାନେଜର୍‌ ୫୧ ଜଣ ଝିଅଙ୍କୁ ପଣବନ୍ଦୀ ରଖି ଯୌନ ଶୋଷଣ କରିଥିବା କୁହାଯାଉଛି। ଶୁକ୍ରବାର ଦିନ ପୁଲିସ ସେ ଝିଅମାନଙ୍କୁ ଉଦ୍ଧାର କରିଛି। ଅଭିଯୁକ୍ତ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯାଇଛି।

ପୁଲିସ କହିବାନୁସାରେ, ସେ ମାଦ୍ରାସାରେ ୧୨୫ ଜଣରୁ ଅଧିକ ଝିଅ ପଢ଼ନ୍ତି। ମାଦ୍ରାସାର ମ୍ୟାନେଜର ଯୌନ ନିର୍ଯାତନା ଦେଉଛନ୍ତି ବୋଲି କେତେକ ଝିଅ ତାଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିଲେ।

ଲକ୍ଷ୍ନୌ ପୁଲିସର ଏକ ମିଳିତ ଦଳର ଚଢ଼ାଉ ସମୟରେ ମାଦ୍ରାସା ପରିସରରେ ପଣବନ୍ଦୀ ଥିବା ୫୧ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି।

ମିଳିଥିବା ରିପୋର୍ଟ ଅନୁସାରେ, ପୀଡ଼ିତାମାନେ ଟୁକୁରା କାଗଜରେ ନିଜର ନିର୍ଯାତନା କଥା ଲେଖି ପଡ଼ୋଶୀ ଘରକୁ ପକାଇ ଦେଇଥିଲେ।ପଡ଼ୋଶୀମାନେ ଏ ଘଟଣା ଜାଣିବା ପରେ ମାମଲା ବିଷୟରେ ପୁଲିସକୁ ଜଣାଇଥିଲେ। ପୀଡ଼ିତାମାନଙ୍କ ବୟାନ ରେକର୍ଡ କରିବା ପରେ ପୁଲିସ ଏ ବିଷୟ ଶିଶୁ ମଙ୍ଗଳ କମିଟିକୁ ଜଣାଇ ଥିଲା।

ଅଭିଯୋଗ ପାଇଲା କ୍ଷଣି ଆମେ କଡ଼ା ପଦକ୍ଷେପ ଗ୍ରହଣ କରିଥିଲୁ। ସଦଳବଳେ ଚଢ଼ାଉ କରି ମାଦ୍ରାସାରେ ପଣବନ୍ଦୀ ଥିବା ୫୧ ଜଣ ଛାତ୍ରୀଙ୍କୁ ଉଦ୍ଧାର କଲୁ। ଆସାମୀକୁ ଗିରଫ କରି ତଦନ୍ତ ଚଳାଇଛୁ। ମାଦ୍ରାସାର ମ୍ୟାନେଜର୍‌ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ସହ ମାରଧର କରୁଥିଲେ ବୋଲି କହନ୍ତି ଲକ୍ଷ୍ନୌର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଦୀପକ କୁମାର।

Image Courtesy of India TV

ମ୍ୟାନେଜରଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର୍‌ କରାଯାଇଛି। ଉଦ୍ଧାର ପୀଡ଼ିତାମାନଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ମାଦ୍ରାସା ମ୍ୟାନେଜର୍‌ ସବୁବେଳେ ଝିଅମାନଙ୍କୁ ପିଟାପିଟି କରି ତାଙ୍କୁ ନାଚିବାକୁ ବାଧ୍ୟ କରନ୍ତି।

କେତେକ ଛାତ୍ରୀ ମାଦ୍ରାସାରେ ପଣବନ୍ଦୀ ଅଛନ୍ତି ବୋଲି ଆମେ ଅଭିଯୋଗ ପାଇଲୁ। ଛାତ୍ରୀମାନେ ମଧ୍ୟ ଅଭିଯୋଗ କରିଥିଲେ। ଆମେ ମାମଲାକୁ ଗୁରୁତ୍ୱ ଦେଇ ମିଳିତ ଟିମ୍‌ ଗଠନ କରି ଚଢ଼ାଉ କଲୁ। ତଦନ୍ତ ପରେ ଜାଣିଲୁ, ଅଭିଯୋଗ ସତ୍ୟ। ତେଣୁ ଏଫ୍‌ଆଇଆର୍‌ ଦାଏର୍‌ କରାଗଲା।

ଅଭିଯୁକ୍ତ ଗିରଫ ହୋଇଛନ୍ତି ବୋଲି କହନ୍ତି ପଶ୍ଚିମ ଉତ୍ତର ପ୍ରଦେଶର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିକାଶ ତ୍ରିପାଠୀ।

 

ସମ୍ବନ୍ଧିତ ଖବର