୫୧ ମହିଳା ସବରିମାଳା ମନ୍ଦିର ପ୍ରବେଶ କରିଛନ୍ତି : କେରଳ ସରକାର

ନୂଆଦିଲ୍ଲୀ: ସବରିମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ‌ବୋଲି ସୁପ୍ରିମ‌କୋର୍ଟ ଯେଉଁ ଐତିହାସିକ ରାୟ ଦେଇଥିଲେ ଏହା ପରଠାରୁ ଏଯାବତ୍‌ ୫୦ ବର୍ଷରୁ କମ୍‌ ବୟସର ସମୁଦାୟ ୫୧ ଜଣ ମହିଳା ମନ୍ଦିରରେ ପ୍ରବେଶ କରିଛନ୍ତି। ଆଜି କେରଳ ସରକାର ଏନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। କେରଳ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଜୟ ହଂସାରିଆ ଆଜି ଏହି ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟରେ କନକଦୁର୍ଗା ଏବଂ ବିନ୍ଦୁ ଆମ୍ମିନୀଙ୍କ ଆବେଦନର ଶୁଣାଣି ସମୟରେ କେରଳ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ୭,୫୦୦ରୁ ଊର୍ଦ୍ଧ୍ବ ମହିଳା ମନ୍ଦିର ପ୍ରବେଶ କରିବାପଇଁ ଅନଲାଇନ୍‌ ପଂଜୀକରଣ କରିଛନ୍ତି ବୋଲି କେରଳ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଆଜି କୋର୍ଟ କନକଦୁର୍ଗା ଏବଂ ବିନ୍ଦୁ ଆମ୍ମିନୀଙ୍କ ଆବେଦନର ଶୁଣାଣି କରି ସେମାନଙ୍କୁ ସୁରକ୍ଷା ଦେବାପାଇଁ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ ମହିଳା ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଥମ ଥର ପାଇଁ ସବରିମାଳା ମନ୍ଦିରକୁ ପ୍ରବେଶ କରିବାରେ ସକ୍ଷମ ହୋଇଥିଲେ। ନିଜ ଜୀବନ ପ୍ରତି ବିପଦ ଥିବା ଦାବି କରି ସେମାନେ ସୁପ୍ରିମକୋର୍ଟରେ ସୁରକ୍ଷାପାଇଁ ଆବେଦନ କରିଥିଲେ। କେରଳ ସରକାର ଆଜି ଯେଉଁ ଦାବି ଉପସ୍ଥାପନ କରିଛନ୍ତି ସେଥିରୁ ଜଣାପଡ଼ୁଛି ଯେ କନକଦୁର୍ଗା ଏବଂ ବିନ୍ଦୁଙ୍କ ପୂର୍ବରୁ ଅନ୍ୟ ମହିଳାମାନେ ସବରିମାଳା ମନ୍ଦିରରେ ପ୍ରବେଶ କରି ସାରିଛନ୍ତି।

ସମ୍ବନ୍ଧିତ ଖବର