ଜୋତା କାରଖାନାରେ ନିଆଁ ଲାଗିଥିବା ବେଳେ ୨୦ଜଣ କର୍ମଚାରୀଙ୍କୁ ବଞ୍ଚାଇଲେ ୫୮ ବର୍ଷୀୟା ମହିଳା

ନୂଆଦିଲ୍ଲୀ : କଥାରେ ଅଛି “ରଖେ ହରି ମାରେ କିଏ” । ବେଳେ ବେଳେ ଯେଉଁଠି ବଞ୍ଚିବାର ଆଶା ନ ଥାଏ, ସେତେବେଳେ କିଛି ଗୋଟେ ଚମତ୍କାର ହୋଇଥାଏ । ବଞ୍ଚିବାର ଆଶା ନ ଥାଇ ମଧ୍ୟ ଲୋକଟି ବଞ୍ଚି ଯାଇଥାଏ । ଏହି ଭଳି ଘଟଣା ପ୍ରାୟତଃ ଚଳଚ୍ଚିତ୍ରମାନଙ୍କରେ ଦେଖିବାକୁ ମିଳୁଥିବା ବେଳେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀର ସୁଲ୍‌ତାନପୁରୀରେ । ସୁଲତାନପୁରୀରେ ଥିବା ଜୋତା କାରଖାନାରେ ନିଆଁ ଲାଗିଯିବାରୁ ଭିତରେ କାମ କରୁଥିବା କର୍ମଚାରୀ ଫସି ରହିଥିଲେ । କାରଖାନାରେ ଲାଗିଥିବା ନିଆଁ ସେମାନଙ୍କ ଜୀବନ ଦୀପକୁ ଲିଭାଇ ଦେବ ବୋଲି ଭାବୁଥିବା ବେଳେ ସେହି ସମୟରେ ଏକ ଚମତ୍କାର ଘଟିଥିଲା । କାରଖାନା ପାଖରେ ରହୁଥିବା ଜଣେ ୫୮ବର୍ଷୀୟା ମହିଳା ସାହାସ ପାଇଁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ।

indiatimes.com

କାରଖାନା ମଧ୍ୟରୁ ୨୦ ଜଣ କର୍ମଚାରୀଙ୍କୁ ମହିଳା ଜଣଙ୍କ ଏକ ସିଢ଼ି ସାହାଯ୍ୟରେ ଉଦ୍ଧାର କରିଥିବା ବେଳେ ଏହି ଅଗ୍ନିକାଣ୍ଡରେ ୪ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ, ଜ୍ୟୋତି ବର୍ମା ସକାଳ ୭ଟା ସମୟରେ ନିଜ ପରିବାର ପାଇଁ ଖାଇବା ତିଆରି କରୁଥିବା ସମୟରେ ଜଣେ ପଡ଼ୋଶୀ ଆସି ଜୋତା କାରଖାନାରେ ନିଆଁ ଲାଗିଛି ବୋଲି ଜଣାଇଥିଲେ । ଏହି ଖବର ଶୁଣି ଜ୍ୟୋତି ଛାତ ଉପରକୁ ଯାଇ ଦେଖିବା ପରେ କାରଖାନାର ତୃତୀୟ ମହଲାରେ ୧୦ଜଣ କର୍ମଚାରୀ ଜୀବନ ବିକଳରେ ଆମକୁ ରକ୍ଷା କର ବୋଲି ଡ଼ାକ ଛାଡ଼ୁଥିବାର ସେ ଦେଖିଥିଲେ । କର୍ମୀମାନଙ୍କର ଏପରି ଅବସ୍ଥା ଦେଖି ସେ ପ୍ରଥମେ ଘରେ ଥିବା ଶାଢ଼ିକୁ ବାନ୍ଧି ତାଙ୍କ ପାଖକୁ ଫିଙ୍ଗି ଥିଲେ । କିନ୍ତୁ ସେଥିରେ ମୁକୁଳିବାରେ ସଫଳ ହୋଇ ନ ଥିଲେ ।
କିଛି ସମୟ ପରେ ଘରେ ବ୍ୟବହାର ହେଉଥିବା ସିଢ଼ିକୁ କାରଖାନାର ତୃତୀୟ ମହଲା ସହ ସଂଯୋଗ କରି ୨୦ ଜଣ କର୍ମଚାରୀଙ୍କୁ ସେ ଉଦ୍ଧାର କରିଥିଲେ । ଜ୍ୟୋତିଙ୍କ ଏହି ସାହସ ପାଇଁ ତା’ଙ୍କୁ ସମସ୍ତେ ପ୍ରଶଂସା କରିବା ସହ କାରଖାନାର ମାଲିକଙ୍କ ଅବହେଳା ପାଇଁ ଏପରି ଘଟିଛି ବୋଲି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର