ଅଷ୍ଟ୍ରେଲିଆ ସମୁଦ୍ରରେ ଭାସିଗଲେ ୫ ଭାରତୀୟ ଛାତ୍ରୀ:ଜଣେ ମୃତ, ୪ ଉଦ୍ଧାର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଏଡିଲେଡ୍‌ରେ ପ୍ୟାସିଫିକ୍‌ ବିଦ୍ୟାଳୟ କ୍ରୀଡ଼ାରେ ଫୁଟବଲ ଖେଳିବା ଲାଗି ଯାଇଥିବା ୫ ଜଣ ଭାରତୀୟ ଛାତ୍ରୀ ଏଡିଲେଡ୍‌ର ଗ୍ଲେନେଗ୍‌ ସମୁଦ୍ରରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଛାତ୍ରୀ ମାନେ ଏବେ ରୟାଲ ଏଡିଲେଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ୧୫ ବର୍ଷୀୟା ଛାତ୍ରୀ ନୀତୀଶା ନେଗିଙ୍କ ମର ଶରୀରକୁ ଭାରତ ପଠାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।
ଗତ ଶନିବାର ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ପ୍ୟାସିଫିକ୍‌ ବିଦ୍ୟାଳୟ କ୍ରୀଡ଼ାରେ ମୋଟ ୧୫ଟି ଦେଶରୁ ୪,୦୦୦ ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଏହି ଭାରତୀୟ ବିଦ୍ୟାର୍ଥୀମାନେ ରହିଥିଲେ। ଗତ ରବିବାର ସନ୍ଧ୍ୟାରେ ଛାତ୍ରୀମାନେ ଗ୍ଲେନେଗ୍‌ ସମୁଦ୍ର ତଟରେ ବୁଲୁଥିବା ବେଳେ ହଠାତ୍‌ ଏକ ଉଚ୍ଚ ଜୁଆର ସ୍ରୋତରେ ସମସ୍ତେ ଗଭୀର ଜଳକୁ ଠେଲି ହୋଇଯାଇଥିଲେ। ଉଦ୍ଧାରକାରୀ ଦଳ ଖୋଜାଖୋଜି କରି ତୁରନ୍ତ ୪ ଜଣଙ୍କୁ ଉଦ୍ଧାର କରିଥବା ବେଳେ ନୀତୀଶାଙ୍କ ମୃତଦେହ ସୋମବାର ମିଳିଥିଲା।

ସମ୍ବନ୍ଧିତ ଖବର