ହନିପ୍ରୀତଙ୍କୁ ୬ଦିନିଆ ରିମାଣ୍ଡରେ ନେଲା ପୁଲିସ

ଚଣ୍ଡିଗଡ଼: ଡେରା ସଚ୍ଚା ସୌଦା ମୁଖ୍ୟ ବାବା ରାମ ରହିମଙ୍କ ପାଳିତ କନ୍ୟାଙ୍କୁ ୬ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ପୂର୍ବରୁ ହନିପ୍ରୀତଙ୍କୁ ୧୪ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିଥିଲା।  ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚା ମୁଖ୍ୟ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସାଙ୍କୁ ମଙ୍ଗଳବାର ହରିୟାଣା ପୁଲିସ ଗିରଫ କରିଥିଲା। ଏହାପରେ ହରିୟାଣା ପୁଲିସ ତାଙ୍କୁ ପଞ୍ଚକୁଲା ପୁଲିସରେ ଜିମା ଦେଇଥିଲା। ହନିପ୍ରୀତ ବୁଧବାର ପଞ୍ଚକୁଲା କୋର୍ଟରେ ହାଜର ହୋଇଥିଲେ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ହନିପ୍ରୀତ ଇନସାଙ୍କ ଅଗ୍ରିମ ଜାମିନ ପାଇଁ ଆବେଦନକୁ ଖରାଜ କରି ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଥିଲେ। ହନିପ୍ରୀତ ଆତ୍ମସମର୍ପଣ କରିବେ ବୋଲି ସ୍ଥିର କରିଥିଲା ବେଳେ ମଙ୍ଗଳବାର ପୁଲିସ ହାତରେ ଧରାପଡ଼ିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ଅଗଷ୍ଟ ୨୫ରେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରମିତ ସିଂହ ରାମ ରହିମ ୨ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ ମାମଲାରେ ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୦ବର୍ଷ ଜେଲଦଣ୍ଡ ଶୁଣାଇଥିଲା। ଏହି ଶୁଣାଣି ପରେ ବାବାଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସା ଫେରାର ହୋଇଥିଲେ । ହନିପ୍ରୀତଙ୍କ ନାମ ୪୩ଜଣ ଫେରାର ଆସାମୀଙ୍କ ତାଲିକାରେ ସାମିଲ ଥିଲା।

ପୁଲିସକୁ ସୂଚନା ମିଳିଥିଲା କି ହନିପ୍ରୀତ ଚଣ୍ଡିଗଡ ଆଖପାଖରେ ଲୁଚିଛନ୍ତି। ଏହା ପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ହନିପ୍ରୀତଙ୍କୁ ଖୋଜିବା ଆରମ୍ଭ କରିଥିଲା। ପଞ୍ଚକୁଲା ଚାରି ପାଖରେ ପୁଲିସ ମୁତୟନ କରାଯାଇଥିଲା। ପ୍ରତ୍ୟେକ ସ୍ଥାନରେ ବ୍ୟାରିକେଡ ଲଗାଯାଇଥିଲା। ମହିଳା ପୁଲିସ ମହିଳାଙ୍କମାନଙ୍କ ଓଢ଼ଣା ଉଠାଇ ଯାଞ୍ଚ କରୁଥିଲେ, କାରଣ ହନିପ୍ରୀତ କେଉଁଆଡେ ଲୁଚି ଫେରାର ନ ହୋଇ ଯାଆନ୍ତୁ।

ସମ୍ବନ୍ଧିତ ଖବର