୧୦ ବର୍ଷରେ ହାଇକୋର୍ଟରେ ପଡ଼ି ରହିଛି ୬ଲକ୍ଷ ମାମଲା, ବମ୍ବେ ହାଇକୋର୍ଟ ଶୀର୍ଷରେ

୨ୟ ସ୍ଥାନରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ଯେତିକି ପରିମାଣରେ ହାଇକୋର୍ଟରେ ମାମଲା ଚାଲିଛି ସେହି ପରିମାଣରେ ବିଚାରପତି ନାହାଁନ୍ତି। ଯାହା ଫଳରେ କୋର୍ଟମାନଙ୍କରେ ଲକ୍ଷାଧିକ ମାମଲା ପଡ଼ିରହିଛି। ବିଗତ ୧୦ ବର୍ଷ ଭିତରେ କେବଳ ହାଇକୋର୍ଟମାନଙ୍କରେ ୬ଲକ୍ଷରୁ ଅଧିକ ମାମଲା ପଡ଼ିରହିଥିବା ଏକ ବିଶେଷ ତଥ୍ୟରୁ ଜଣାପଡ଼ିଛି। ହାଇକୋର୍ଟମାନଙ୍କରେ ପଡ଼ି ରହିଥିବା ମାମଲାରେ ବମ୍ବେ ହାଇକୋର୍ଟ ଶୀର୍ଷରେ ରହିଛି। ଏଠାରେ ଏକ ଲକ୍ଷରୁ ଅଧିକ ମାମଲା ପଡ଼ିରହିଛି।

ବର୍ଷ ୨୦୧୬ ଶେଷ ସୁଦ୍ଧା ଦେଶରେ ଥିବା ୨୪ଟି ହାଇକୋର୍ଟରେ ୪୦.୧୫ଲକ୍ଷ ମାମଲା ଚାଲିଥିଲା। ସେଥିରୁ ୧୯.୪୫ ପ୍ରତିଶତ ମାମଲା ୧୦ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ହୋଇ ସାରିଛି। ଡିସେମ୍ବର ୭ରେ ମିଳିଥିବା ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ ତଥ୍ୟ ଅନୁସାରେ ୨୦ଟି ହାଇକୋର୍ଟରେ ୫,୯୭,୬୫୦ ମାମଲା ଚାଲିଥିଲା।

ଦେଶରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଲୋକମାନେ ଅପରାଧିକ କାମ ଠାରୁ ଦୂରରେ ରହିବାକୁ ପଛାଉ ନାହାନ୍ତି। ପରିବାର ହେଉ ଅଥବା ଗୋଷ୍ଠୀ ହେଉ ବୁଝାମଣାର ଅଭାବ ଯୋଗୁଁ ଅଶାନ୍ତି, ବିବାଦ, ଅସନ୍ତୋଷ ନେଇ ଅପରାଧ ଘଟୁଛି। ମାମଲା ଗୁଡ଼ିକ ତଳ କୋର୍ଟରେ ସମାଧାନ ହୋଇ ପାରୁ ନଥିବାରୁ ଦେଶରେ ଥିବା ବିଭିନ୍ନ ହାଇକୋର୍ଟରେ ଚାଲୁଛି।

୨୪ଟି ହାଇକୋର୍ଟରେ ଚାଲିଥିବା ମାମଲାର ରେକର୍ଡ ମିଳିଥିବା ବେଳେ ଆହ୍ଲାବାଦ ହାଇକୋର୍ଟରେ କେତେ ମାମଲା ପଡ଼ିରହିଛି, ସେ ବିଷୟରେ ରିପୋର୍ଟ ହସ୍ତଗତ ହୋଇନାହିଁ। ବମ୍ବେ ହାଇକୋର୍ଟରେ ୧,୨୯,୦୬୩ଟି ମାମଲା ବିଚାରଧିନ ଥିବା ବେଳେ ଏଥିରେ ୯୬,୫୯୬ ଦେଓ୍ଵାନୀ, ୧୨,୮୪୬ ଫୌଜଦାରୀ ଓ ୧୯,୬୨୧ ପୁନଃ ଆବେଦନ ହୋଇଛି।

ତାଲିକାର ୨ୟ ସ୍ଥାନରେ ରହିଛି ପଞ୍ଜାବ ଓ ହରିୟାଣା ହାଇକୋର୍ଟ। ବିଗତ ୧୦ ବର୍ଷ ମଧ୍ୟରେ ଏଠାରେ ୯୯,୬୨୫ ମାମଲା ବିଚାରାଧିନ ରହିଛି। ଏଥିରେ ୬୪,୯୬୭ ଦେଓ୍ଵାନୀ, ୧୩,୩୨୪ ଫୌଜଦାରୀ ଓ ୨୧,୩୩୪ ରିଟ୍‌ ପିଟିସନ୍‌ ସାମିଲ ରହିଛି। କୋଲକାତା ହାଇକୋର୍ଟରେ ୭୪,୩୧୫ ମାମଲା ପଡ଼ିରହିଛି। ଏଥିରେ ୪୦,୫୨୯ ଦେଓ୍ଵାନୀ, ୧୪,୮୯୮ ଫୌଜଦାରୀ ଓ ୧୮୮୮ ରିଟ୍‌ ପିଟିସନ୍‌ ରହିଛି।

ସମ୍ବନ୍ଧିତ ଖବର