କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି ୬ ଜଣ ଅଧିଷ୍ଠିତ ବିଚାରପତି, କିନ୍ତୁ କେହି ଆନୁଷ୍ଠାନିକ ଭାବେ ବହିଷ୍କୃତ ହୋଇ ନାହାନ୍ତି

ନୂଆଦିଲ୍ଲୀ: ଅତୀତରେ ଦୁର୍ନୀତି ଓ ଅନିୟମିତା ଭଳି ସାଙ୍ଘାତିକ ଅଭିଯୋଗ ଥିବା ଅଧିଷ୍ଠିତ ବିଚାରପତିମାନେ ବହିଷ୍କାର ପ୍ରକ୍ରିୟାର ସମ୍ମୁଖୀନ ହୋଇ ଥିଲେ ମଧ୍ୟ କାହାରିକୁ ଏ ପର୍ଯ୍ୟନ୍ତ ବହିଷ୍କାର କରାଯାଇ ନାହିଁ। ଏହାର କାରଣ ହେଉଛି ଭିନ୍ନ ଭିନ୍ନ ଧାରା ଦେଇ ବହିଷ୍କାର ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ପାରି ନାହିଁ।

ସେମାନେ ହେଉଛନ୍ତି ଭି. ରାମସ୍ୱାମୀ, ପି. ଡି. ଦିନକରଣ, ସୌମିତ୍ର ସେନ୍‌, ଜେ ବି ପର୍‌ଦିଓ୍ଵାଲା, ଏସ୍‌. କେ. ଗାଙ୍ଗେଲେ, ନାଗାର୍ଜୁନ ରେଡ୍ଡୀ
ସୁପ୍ରିମ୍‌ କୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଭି ରାମସ୍ୱାମୀ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ବିଚାରପତି ଯାହାଙ୍କ ବିରୋଧରେ ୧୯୯୧ ମସିହାରେ ବହିଷ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧୯୯୦ ମସିହାରେ ସେ ପଞ୍ଜାବ ଓ ହରିୟାନା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବାବେଳେ ତାଙ୍କ ସରକାରୀ ବାସଭବନରେ ବ୍ୟାପକ ଅର୍ଥ ଅପଚୟ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ବହିଷ୍କାର କରିବାକୁ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ ମଧ୍ୟ ରିଜୋଲ୍ୟୁସନ୍‌ ପାସ୍‌ କରିଥିଲା।

ଭାରତର ତତ୍‌କାଳୀନ ପ୍ରଧାନ ବିଚାରପତି ସବ୍ୟସାଚୀ ମୁଖାର୍ଜୀ ଖୋଲା ଅଦାଲତରେ ରାମସ୍ୱାମୀଙ୍କୁ ଉପଦେଶ ଦେଲେ କି, ତଦନ୍ତ ଚାଲିଥିବା ଯାଏଁ ସେ ନ୍ୟାୟିକ କାର୍ଯ୍ୟଧାରାରୁ ଦୂରେଇ ରୁହନ୍ତୁ। ଅତୀତ ମାମଲାର ସମୀକ୍ଷାରୁ ଜଣାପଡ଼େ ଯେ ଜଷ୍ଟିସ୍‌ ଭି ରାମସ୍ୱାମୀଙ୍କ ବହିଷ୍କାର ପ୍ରସ୍ତାବ ବିଫଳ ହୋଇଗଲା। ଏହାର କାରଣ ଥିବା ବହିଷ୍କାର ପାଇଁ ଲୋକସଭାରୁ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ମିଳିଲା ନାହିଁ। ସେମିତି କାଲ୍‌କାଟା ହାଇକୋର୍ଟର ବିଚାରପତି ସୌମିତ୍ର ସେନ୍‌ଙ୍କ ବହିଷ୍କାର ପ୍ରସ୍ତାବ ରାଜ୍ୟସଭା ଅନୁମୋଦନ ଲାଭ କରିଥିଲେ ମଧ୍ୟ ଲୋକସଭାକୁ ଯାଇ ପାରି ନ ଥିଲା। କାରଣ ତା’ ପୂର୍ବରୁ ସେ ଇସ୍ତଫା ଦେଇଥିଲେ।

ତତ୍‌କାଳୀନ ସିକ୍କିମ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପି ଡି ଦିନକରଣ ମଧ୍ୟ ୨୦୧୧ରେ ଇସ୍ତଫା ଦେଇ ଦେବାରୁ ତାଙ୍କ ବିରୋଧରେ ରାଜ୍ୟସଭାରେ ଆରମ୍ଭ ହୋଇଥିବା ବହିଷ୍କାର ପ୍ରକ୍ରିୟା ଚାଲି ପାରି ନ ଥିଲା।

ସଂରକ୍ଷଣ ବାବଦରେ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଗୁଜରାଟ ହାଇକୋର୍ଟର ବିଚାରପତି ଜେବି ପର୍ଦିଓ୍ଵାଲାଙ୍କ ବିରୋଧରେ ବହିଷ୍କାର ପ୍ରସ୍ତାବ ଆସିଥିଲା କିନ୍ତୁ, ସେ ନିଜର ବକ୍ତବ୍ୟ ପ୍ରତ୍ୟାହାର କରି ନେବାରୁ ପ୍ରସ୍ତାବ କାଟ ଖାଇ ଯାଇଥିଲା।

ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଏସ୍‌କେ ଗାଙ୍ଗେଲ୍‌ଙ୍କ ବିରୋଧରେ ୫୮ ଜଣ ରାଜ୍ୟସଭା ସଂସଦ ବହିଷ୍କାର ପ୍ରସ୍ତାବ ଆଗତ କରିଥିଲେ। କିନ୍ତୁ, ତାଙ୍କ ବିରୋଧରେ ଆସିଥିବା ଯୌନଉତ୍ପୀଡ଼ ମାମଲାରେ ତାଙ୍କୁ ଦୋଷମୁକ୍ତ କରାଯିବାରୁ ଏହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା।

ହାଇକୋର୍ଟ ବିଚାରପତି ନାଗାର୍ଜୁନ ରେଡ୍ଡୀ ନିଜ କ୍ଷମତାର ଅପବ୍ୟବହାର କରି ଜଣେ ଦଳିତ ବିଚାରପତିଙ୍କୁ ଅସୁବିଧାରେ ପକାଇଥିବା ଏବଂ ଆୟବହିର୍ଭୂତ ସମ୍ପତ୍ତି କାରଣରୁ ବହିଷ୍କାରର ସମ୍ମୁଖୀନ ହୋଇଥିଲେ। କିନ୍ତୁ ୫୪ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ଦ୍ୱିତୀୟ ଉଦ୍ୟମରେ ୯ ଜଣ ସାଂସଦ ଓହରି ଯିବାରୁ ଏହା କାର୍ଯ୍ୟକାରୀ ହୋଇ ପାରି ନ ଥିଲା।

ସମ୍ବନ୍ଧିତ ଖବର