ମାଆ ପାଣି ଖୋଜି ଯାଇଥିବା ବେଳେ ଆମେରିକୀୟ ମରୁଭୂମିରେ ୬ ବର୍ଷୀୟ ଭାରତୀୟ ବାଳିକାର ମୃତ୍ୟୁ

ହଷ୍ଟନ୍‌: ଆରିଜୋନାର ଗୋଟାଏ ମରୁଭୂମିରେ ଜଣେ ଭାରତୀୟ ମହିଳା ଅନ୍ୟ ବେଆଇନ୍‌ ପର୍ଯ୍ୟଟକମାନଙ୍କ ଜିମାରେ ତାଙ୍କ ୬ ବର୍ଷୀୟ ଝିଅକୁ ଛାଡ଼ି ପାଣି ସନ୍ଧାନରେ ଯାଇଥିବା ବେଳେ ଅଂଶୁଘାତରେ ସେ ବାଳିକାଟିର ମୃତ୍ୟୁ ଘଟିଛି ବୋଲି ଶୁକ୍ରବାର ଦିନ ଜଣେ ଡାକ୍ତରୀ ପରୀକ୍ଷକ ଏବଂ ଆମେରିକୀୟ ବର୍ଡର ପାଟ୍ରୋଲ୍‌ କହିଛନ୍ତି।

ସାତ ବର୍ଷ ପୂରିବାକୁ ଯାଉଥିବା ସେ ବାଳିକା ଗୁରୁପ୍ରୀତ୍‌ କୌରଙ୍କୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବର୍ଡର ପାଟ୍ରୋଲ୍‌ ଆରିଜୋନା ଅନ୍ତର୍ଗତ ଲ୍ୟୁକ୍‌ବାଇଲ୍‌ର ପଶ୍ଚିମ ପଟରେ ପାଇଥିଲେ। ସେତେବେଳେ ସେ ଅଞ୍ଚଳର ତାପମାତ୍ରା ଥିଲା ୧୦୮ ଡିଗ୍ରି ଫାରେନ୍‌ ହିଟ୍‌।

ଝିଅଟିର ମୃତ୍ୟୁକୁ ମିଶାଇ ଏ ବର୍ଷ ଆରିଜୋନାର ଦକ୍ଷିଣ ମରୁଭୂମିରେ ବେଆଇନ୍‌ ପର୍ଯ୍ୟଟକ ଶିଶୁମୃତ୍ୟୁ ସଂଖ୍ୟା ଦୁଇ ହେଲାଣି।

Image Source: Hindustan Times

ଇମିଗ୍ରେସନ୍‌ କର୍ମଚାରୀମାନଙ୍କ କହିବା କଥା, ମେକ୍‌ସିକୋ ବାଟ ଦେଇ ବହୁସଂଖ୍ୟକ ପରିବ୍ରାଜକ ଭାରତୀୟ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟକୁ ପ୍ରବେଶ କରୁଛନ୍ତି। ଚୋରା ଚାଲାଣକାରୀ ଦଳ ନେତୃତ୍ୱରେ ହଜାର ହଜାର ଆଫ୍ରିକୀୟ ଏବଂ ଏସୀୟମାନେ ଯାତ୍ରା କରୁଛନ୍ତି।

ଏମାନେ କାମଧନ୍ଦା ଅନେ୍ଵଷଣରେ ବେଆଇନ୍‌ ଆମେରିକାରେ ରହିବା ପାଇଁ ଆସନ୍ତି।

ମଙ୍ଗଳବାର ସକାଳ ପ୍ରାୟ ୧୦ ବେଳେ ସୂଦୁର ଆମେରିକୀୟ ସୀମାନ୍ତ ଅଞ୍ଚଳରେ ଚୋରାଚାଲାଣକାରୀମାନେ ଛାଡ଼ି ଯାଇଥିବା ୫ ଜଣ ଭାରତୀୟଙ୍କ ମଧ୍ୟରେ ସେ ମାଆ ଓ ଝିଅ ଅନ୍ୟତମ।

କିଛି ଦୂର ଚାଲିବା ପରେ ଆଉ ଜଣେ ମହିଳା ଏବଂ ତାଙ୍କ ପିଲା ଜିମାରେ ଝିଅକୁ ଛାଡ଼ି, ସେ ଝିଅର ମାଆ ଏବଂ ଅନ୍ୟ ଜଣେ ମହିଳା ପାଣି ସନ୍ଧାନରେ ଯାଇଥିଲେ। ହେଲେ ମେସାନେ ଆଉ ଫେରି ନ ଥିଲେ।

ମାଆ ଓ ଅନ୍ୟ ଜଣେ ମହିଳାଙ୍କ ପାଦଚିହ୍ନ ଅନୁସରଣ କରି ଯୁକ୍ତରାଷ୍ଟ୍ର ଆମେରିକା ବର୍ଡର୍‌ ପାଟ୍ରୋଲ୍‌ ସେମାନଙ୍କୁ ଧରିବା ପୂର୍ବରୁ ସେମାନେ (ମାଆ ଓ ଅନ୍ୟ ମହିଳା) ସୋନୋରାନ୍‌ ମରୁଭୂମିରେ ୨୨ ଘଣ୍ଟା ଚାଲି ସାରିଥିଲେ।

ଏହାର ଚାରିଘଣ୍ଟା ପରେ ସୀମାନ୍ତ ଠାରୁ ଗୋଟିଏ ମାଇଲ୍‌ ଦୂରରେ ବର୍ଡର୍‌ ପାଟ୍ରୋଲ୍‌ ଏଜେଣ୍ଟ୍‌ମାନେ ବାଳିକାର ଶବ ପାଇଥିଲେ। ବାଳିକା କୌର୍‌ର ମୃତ୍ୟୁ ପାଇଁ ଚୋରାଚାଲାଣକାରୀମାନଙ୍କୁ ଦାୟୀ କରିଛି ବର୍ଡର୍‌ ପାଟ୍ରୋଲ୍‌।

ସମ୍ବନ୍ଧିତ ଖବର