ପୁଞ୍ଚ୍‌ଠାରେ ପାକ୍‌ର ଅସ୍ତ୍ର ବିରତି ଉଲ୍ଲଂଘନ: ଜଣେ ବିଏସ୍‌ଏଫ୍‌ ଯବାନ ସହିଦ, ୬ ବର୍ଷୀୟା ନାବାଳିକା ନିହତ, ୨ ପାକ୍‌ ରେଞ୍ଜର ନିପାତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖାଠାରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ ସେନା। ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତର ଜଣେ ସୀମା ସୁରକ୍ଷା ବଳି(ବିଏସ୍‌ଏଫ୍‌) ଯବାନ ସହିଦ ହୋଇଥିବା ବେଳେ ଜଣେ ୬ ବର୍ଷୀୟା ନାବାଳିକାର ଜୀବନ ଯାଇଥିବା ଜାଣିବାକୁ ମିଳିଛି। ଆହୁରି ୧୪ ଜଣ ନାଗରିକ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ ୫ ବିଏସ୍‌ଏଫ୍‌ ଯବାନ ବି ଅଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ପାକିସ୍ତାନ ପକ୍ଷରୁ ହୋଇଥିବା ଏହି ଅସ୍ତ୍ର ବିରତି ଉଲ୍ଲଂଘନର ପାଲଟା ଜବାବ ଦେଇଛି ଭାରତୀୟ ସେନା। ଭାରତ ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ପାକିସ୍ତାନୀ ସେନାର ଦୁଇ ରେଞ୍ଜର ନିହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଶନିବାର ମଧ୍ୟ ପୁଞ୍ଚ୍‌ ଜିଲ୍ଲାରେ ଭାରତ ଓ ପାକିସ୍ତାନ ଭିତରେ ପ୍ରବଳ ମାତ୍ରାରେ ଗୁଳିଚାଳନା ହୋଇଥିଲା। ଶନିବାର ସଂଧ୍ୟାରେ ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲ୍ଲାରେ ଗୁଳି ମାଡ଼ କରଥିଲେ। ପାକ୍‌ ପକ୍ଷରୁ ହୋଇଥିବା ଏହି ଗୁଳିମାଡ଼ରେ ଜଣେ ଭାରତୀୟ ନାଗରିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିଲା। ଶନିବାର ରାତି ପାଖାପାଖି ୮ଟା ସମୟରେ ପୁଞ୍ଚ୍‌କର କ୍ରିଷ୍ଣାଘାଟୀଠାରେ ପାକିସ୍ତାନୀ ସେନା ଅସ୍ତ୍ର ବିରତି ଉଲ୍ଲଂଘନ କରି ଗୋଳା ମାଡ଼ କରିବା ସହ ଗୁଳି ଚାଳନା କରିଥିଲେ।

ସମ୍ବନ୍ଧିତ ଖବର