କଠୁଆ-ଉନ୍ନାଓ ଗଣଦୁଷ୍କର୍ମ: ମୋଦିଙ୍କୁ ବିଶ୍ୱବ୍ୟାପୀ ୬୦୦ ଶିକ୍ଷାବିତଙ୍କ ଖୋଲାଚିଠି

ନୂଆଦିଲ୍ଲୀ: କଠୁଆ ଏବଂ ଉନ୍ନାଓ ଗଣଦୁଷ୍କର୍ମ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହି ମାମଲା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏ ବାବଦରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ୬ ଶହରୁ ଅଧିକ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲା ପତ୍ର ଲେଖି ଘଟଣାର ନିନ୍ଦା କରିଛନ୍ତି। ଘଟଣା ନେଇ ସରକାରଙ୍କ ଆଭିମୁଖ୍ୟକୁ ସେମାନେ ସମାଲୋଚନା କରିଛନ୍ତି। ଏହି ଦୁଷ୍କର୍ମ ଘଟଣା ପରେ ଦେଶବ୍ୟାପୀ କ୍ରୋଧ ଓ ଅସନ୍ତୋଷ ଦେଖିବାକୁ ମିଳିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ମାମଲାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ମୁହଁ ନ ଖୋଲିବା ଏବଂ ଯଥୋଚିତ ପଦକ୍ଷେପ ଗ୍ରହଣ ନକରିବା ପରିତାପର ବିଷୟ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପତ୍ରରେ କଲମ୍ବିଆ ବିଶ୍ୱବିଦ୍ୟାଳୟ, ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ, ବ୍ରାଉନ୍‌ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଆଇଆଇଟି ପ୍ରତିଷ୍ଠାନର ଶିକ୍ଷାବିତ୍‌୍‌ଙ୍କ ସ୍ୱାକ୍ଷର ରହିଛି। ତେବେ ଏହି ପତ୍ର ଏଭଳି ସମୟରେ ସାର୍ବଜନୀନ ହୋଇଛି ଯେତେବେଳେ କି ଶିଶୁ ଦୁଷ୍କର୍ମକାରୀଙ୍କୁ ସରକାର ମୃତ୍ୟୁଦଣ୍ଡ ଦେବାପାଇଁ ପୋକ୍ସୋ ଆଇନରେ ସଂଶୋଧନ ଆଣି ଅଧ୍ୟାଦେଶ ଜାରି କରିଛନ୍ତି। ଶାସକ ଦଳ ନେତାଙ୍କ ବିରୋଧରେ ପୁଲିସ ତତ୍କାଳ କାର୍ଯ୍ୟାନୁଷ୍ଠାନ ପାଇଁ ପଛଘୁଞ୍ଚା ଦେଇଥିବାରୁ ଶିକ୍ଷାବିତ୍‌ମାନେ ତାହାର ସମାଲୋଚନା କରିଛନ୍ତି। ଉଭୟ ଉନ୍ନାଓ ଏବଂ କଠୁଆ ମାମଲାରେ ପୀଡ଼ିତାଙ୍କ ପରିବାର ଉପରେ ଚାପ ସୃଷ୍ଟି କରାଯାଉଥିବାରୁ ଏହାକୁ ସେମାନେ ନିନ୍ଦା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଦେଶରେ ଦୁଷ୍କର୍ମ ଓ ମହିଳାଙ୍କ ବିରୋଧରେ ଅପରାଧ ଦିନକୁ ଦିନ ଜଟିଳ ରୂପ ନେଉଥିବାବେଳେ ଏଥିରେ ବିଭିନ୍ନ ରାଜନେତାମାନଙ୍କ ସମ୍ପୃକ୍ତି ଘୋର ଉଦ୍‌୍‌ବେଗର କାରଣ ହୋଇଛି। ଏବେ ପ୍ରତିଦିନ ଅନେକ ଘୃଣ୍ୟ ଅପରାଧ ଲୋକଲୋଚନକୁ ଆସୁଛି। ତେବେ ଦେଶରେ ରାଜନେତାମାନେ ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧରେ ସାମିଲ ରହିବା ଘଟଣା ବିପଜ୍ଜନକ ହୋଇଛି। ଦେଶର ସବୁ ପ୍ରମୁଖ ରାଜନୈତିକ ଦଳର ନେତା ଏଥିରେ ଅଭିଯୁକ୍ତ ଥିବା ବେଳେ ବିଜେପି ନେତାଙ୍କ ବିରୋଧରେ ସବୁଠାରୁ ଅଧିକ ଅପରାଧିକ ମାମଲା ରହିଛି। ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର) ଏବଂ ନ୍ୟାସନାଲ୍‌ ଇଲେକ୍ସନ୍‌ ଓ୍ଵାଚ୍‌ର ରିପୋର୍ଟରୁ ଜଣାଯାଇଛି ଯେ ବିଜେପିର ସର୍ବାଧିକ ୧୨ ଜଣ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଏଭଳି ମାମଲା ରହିଥିବା ବେଳେ ଶିବ ସେନାର ୭ ଜଣ ଏବଂ ତୃଣମୂଳ କଂଗ୍ରେସର ୬ ଜଣଙ୍କ ବିରୋଧରେ ମାମଲା ରହିଛି।

ସମ୍ବନ୍ଧିତ ଖବର