ପାକିସ୍ତ‌ାନ ଫେରିବାକୁ ଚାହୁନାହାନ୍ତି ହିନ୍ଦୁ ଶରଣାର୍ଥୀ, ଶିବିରରେ ବିତାଉଛନ୍ତି ଦୟନୀୟ ଜୀବନ

ନୂଆଦିଲ୍ଲୀ: ପାକିସ୍ତାନରେ ହିନ୍ଦୁମାନେ କଦର୍ଯ୍ୟ ଜୀବନ ବିତଉଛନ୍ତି । ହିନ୍ଦୁ ଝିଅଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇ ବିବାହ କରାଯାଉଛି । କୌଣସି ହିନ୍ଦୁ ପର୍ବ ପାଳନ କଲେ ପୋଲିସ ତାଙ୍କୁ ଉଠାଇନେଇ ନିଧୁର୍ମ ମାଡ ମାରୁଛନ୍ତି।  ଏଭଳି କଦର୍ଯ୍ୟ ଜୀବନ ବିତାଇବାକୁ ପଡୁଥିବାରୁ ପାକିସ୍ତାନରୁ ଆସି ଶରଣାର୍ଥୀ ଶିବିରରେ ରହୁଥିଲେ ମଧ୍ୟ ୬୫୦ ହିନ୍ଦୁ ପାକିସ୍ତାନକୁ ଫେରୁନାହାନ୍ତି।

ଦିଲ୍ଲୀର ମଜଲିସ୍‌ ପାର୍କ ମେଟ୍ରୋ ଷ୍ଟେସନ ପଛପଟେ ଥିବା ଶରଣାର୍ଥୀ ଶିବିରରେ ଦୀର୍ଘ ୬ ବର୍ଷ ହେଲା ରହୁଛନ୍ତି ପାକିସ୍ତାନରୁ ଆସିଥିବା ଏହି ହିନ୍ଦୁ ଶରଣାର୍ଥୀ । ଏମାନଙ୍କ ମଧ୍ୟରୁ ୪୮୦ ଜଣ ୨୦୧୩ କୁମ୍ଭମେଳା ଯିବା ବାହାନା କରି ଆସିଥିଲେ ଆଉ ଫେରିନଥିଲେ। ଏଠି ଏକ ସମ୍ମାନର ଜୀବନ ବିତାଇବା ଆଶାରେ ରହିଯାଇଥିଲେ। ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଭାରତୀୟ ନାଗରିକର ଅଧିକାର ଦିଆଯାଇନାହିଁ। ଭିସା ନବୀକରଣ ପାଇଁ ସେମାନଙ୍କୁ ପ୍ରତି ବର୍ଷ ୧୦୦୦ ଟଙ୍କା ଦେବାକୁ ପଡୁଛି। ଶିବିରରେ ସେମାନଙ୍କୁ ବିଜୁଳି ଓ ଜଳ ଭଳି ମୌଳିକ ସୁବିଧା ଦିଆଯାଉନାହିଁ। ତଥାପି ସେମାନେ ଶରଣାର୍ଥୀ ଭାବେ କ୍ୟାମ୍ପରେ ଦୟନୀୟ ଅବସ୍ଥାରେ ରହିବାକୁ ଶ୍ରେୟ ମଣୁଛନ୍ତି। ଉକ୍ତ ଶରଣାର୍ଥୀଙ୍କ କହିବା ଅନୁଯାୟୀ ୧୯୯୨ ବାବ୍ରି ମସଜିଦ ଭଙ୍ଗା ଭଳି ଘଟଣା ଘଟିଲେ ସେମାନଙ୍କ ଉପରେ ଅତ୍ୟାଚାର ବଢୁଛି । ଯଦି ରାମ ମନ୍ଦିର ମାମଲାରେ ସୁପ୍ରିମ କୋର୍ଟ ନିଷ୍ପତ୍ତି ହିନ୍ଦୁଙ୍କ ସପକ୍ଷରେ ଯାଏ ତେବେ ହିନ୍ଦୁଙ୍କ ଅବସ୍ଥା ଅଧିକ ଦୟନୀୟ ହେଇଯିବ। ‘ ଝିଅଙ୍କୁ ଏକା ସ୍କୁଲ ପଠାଇପାରିନୁ ଏବଂ ଇସଲାମୀୟ ପାଠ ପଢ଼ାଯାଉଥିବାରୁ ସେମାନେ ନିଜ ପିଲାଛୁଆଙ୍କୁ ସ୍କୁଲକୁ ପଠାଉ ନାହାନ୍ତି,’  ବୋଲି ମତଦେଇଛନ୍ତି ୪୪ ବର୍ଷୀୟ ଜମନା। ହିନ୍ଦୁଙ୍କୁ ନିଯୁକ୍ତି ଦିଆଯାଉନାହିଁ, ଆମେ କେବଳ କୃଷି ଉପରେ ନିର୍ଭର କରି କୁକୁରଠୁ ବଳି ଦୟନୀୟ ଜୀବନ ବିତଉଚୁ ବୋଲି କହିଛନ୍ତି ଜମନା।

ସମ୍ବନ୍ଧିତ ଖବର