କରୋନା କବଳରେ ୧୯୮ଟି ରାଷ୍ଟ୍ର : ଇଟାଲିରେ ଦିନକରେ ୬୮୩ ମୃତ

ଆମେରିକାରେ ମୃତ୍ୟୁସଂଖ୍ୟା ୧୦୦୦ ଟପିଲା, ବିଶ୍ବବ୍ୟାପୀ ୨୨ ହଜାର ମୃତ

ନୂଆଦିଲ୍ଲୀ : କରୋନା ଭାଇରସ୍‌ ମହମାରୀ ଏବେ ବିଶ୍ବବ୍ୟାପୀ ୧୯୮ ରାଷ୍ଟ୍ରରେ କାୟା ବିସ୍ତାର କରିସାରିଲାଣି।। ଭାଇରସ୍‌ରେ ପ୍ରାୟ ୫ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨୨ ହଜାର ଅତିକ୍ରମ କରିଛି। ୟୁରୋପ୍‌ ଏବଂ ଆମେରିକାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଇଟାଲି ଏବଂ ସ୍ପେନ୍‌ ପରେ ଏବେ ଆମେରିକାରେ କରୋନା ମୃତ୍ୟୁସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି। ଆମେରିକାରେ ଏପର୍ଯ୍ୟନ୍ତ ୧୦୫୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୦୦ରେ ପହଞ୍ଚିଛି। ଇଟାଲିରେ ୭୫୦୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ସ୍ପେନ୍‌ର ମୃତ୍ୟୁସଂଖ୍ୟା ୩,୮୦୦ ଛୁଇଁଛି। ଇଟାଲିରେ ଦିନକରେ ୬୮୩ ମୃତ୍ୟୁ ଦେଶକୁ ଦୋହଲାଇ ଦେଇଛି। ମଙ୍ଗଳବାର ଦିନ ମଧ୍ୟ ୭୪୩ ‌ଲୋକଙ୍କ ମୃତ୍ୟୁ ଘଟିଥିଲା। କରୋନା ନିୟନ୍ତ୍ରଣ ପାଇଁ ଇଟାଲି ସରକାରଙ୍କ ନାଗରିକ ଅଧିକାର ସଂସ୍ଥାର ମୁଖ୍ୟ ଏନ୍‌ଜେଲୋ ବୋରେଲି ମଧ୍ୟ ଭାଇରସ୍‌ ଆକ୍ରାନ୍ତ ହୋଇଥିବାରୁ ‌ଦେଶର କରୋନା ସ୍ଥିତି ସଂକ୍ରାନ୍ତ ସୂଚନା ପ୍ରଦାନ କରିପାରି ନାହାନ୍ତି। ଇଟାଲିର ଉତ୍ତରାଞ୍ଚଳ କରୋନା ଭାଇରସ୍‌ ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି ଏବଂ ସେଠାରେ ୪,୪୭୪ ଜଣଙ୍କ ମୃତ୍ୟୁ ଘଟିଛି ।

ତେବେ ଇରାନ୍‌ରେ ସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ମୃତ୍ୟୁସଂଖ୍ୟା ୨୧୦୦ରେ ପହଞ୍ଚିଛି। ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୦୦୦ଟପିବା ପରେ ଦେଶର ୯୦ ପ୍ରତିଶତ ଅଞ୍ଚଳ ଲକ୍‌ଡାଉନ୍‌କୁ ଚାଲିଯାଇଛି। ଆଗକୁ କରୋନା ଭାଇରସ୍‌ ଆମେରିକାରେ ମହାସଙ୍କଟ ସୃଷ୍ଟି କରିବା ଆଶଙ୍କା ରହିଛି ଏବଂ ଏହାକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ପ୍ରମୁଖ ସହରରେ କରୋନା ମୁକାବିଲା ଦାୟିତ୍ବ ଜାତୀୟ ସୁରକ୍ଷାବାହିନୀ ହାତରେ ନ୍ୟସ୍ତ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆଭିମୁଖ୍ୟ ନେଇ କଡ଼ା ସମାଲୋଚନା କରିଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚୀନ୍‌ର ପକ୍ଷ ନେଉଛି ଏବଂ ଆମେରିକା ବାବଦରେ ପ୍ରତିକୂଳ ମନ୍ତବ୍ୟ ଦେଉଛି ବୋଲି ଟ୍ରମ୍ପ୍‌ କହିଛନ୍ତି। କରୋନା ମୁକାବିଲା ପାଇଁ ନ୍ୟୁୟର୍କ ସମେତ ସମସ୍ତ ରାଜ୍ୟରେ କଠୋର କଟକଣା ଲାଗୁ ହୋଇଛି ଏବଂ ସଂକ୍ରମଣକୁ ରୋକିବାପାଇଁ ସର୍ବାଧିକ ସତର୍କତା‌ ଅବଲମ୍ବନ କରାଯାଇଛି। ଜାପାନ ସରକାର ଏବେ କରୋନା ନିୟନ୍ତ୍ରଣ ସହ ଅର୍ଥନୀତିକୁ ବଡ଼ ସଙ୍କଟରୁ ଉଦ୍ଧାର କରିବା ପାଇଁ କଠୋର ପଦକ୍ଷେପ ନେଇଛନ୍ତି।

କରୋନା ସଂକ୍ରମଣ ରୁଷ୍‌ରେ ମଧ୍ୟ ବିପର୍ଯ୍ୟୟ ଆରମ୍ଭ କରିଦେଇଥିବାରୁ କଟକଣା ବ୍ୟାପକ ହୋଇଛି। ରୁଷ୍‌ରେ ଏବେ ମୋଟ୍‌ ୮୪୦ ଆକ୍ରାନ୍ତ ଅଛନ୍ତି ଏବଂ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୟୁରୋପୀୟ ରାଷ୍ଟ୍ର ଗୁଡ଼ିକରେ ଅଣାୟତ୍ତ ସ୍ଥିତିକୁ ରୋକିବାପାଇଁ ସମସ୍ତ ପରିବହନ ବ୍ୟବସ୍ଥା ଠପ୍‌ କରିଦିଆଯାଇଛି। ଆର୍ଥିକ ଦିଗରୁ ସବୁଠାରୁ ଶକ୍ତିଶାଳୀ ଜି-୭ ରାଷ୍ଟ୍ର ଗୋଷ୍ଠୀ ଏକ ମିଳିତ ବିବୃତିରେ କରୋନା ଭାଇରସ୍‌କୁ ‘ଉହାନ୍‌ ଭାଇରସ୍‌ ‘ ଭାବେ ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର