ସୀମାଞ୍ଚଳ ଏକ୍ସପ୍ରେସ୍‌ ଦୁର୍ଘଟନା; ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି: କ୍ଷତିପୂରଣ ଘୋଷଣା କଲେ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ ବିହାରର ବୈଶାଳୀ ଜିଲ୍ଲାରେ ଦିଲ୍ଲୀଗାମୀ ସୀମାଞ୍ଚଳ ଏକ୍ସ୍‍ପ୍ରେସ୍‌ର ୯ଟି ଡବା ଲାଇନଚ୍ୟୁତ ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣ ଲୋକଙ୍କର ମୃତୁ ଘଟିଛି ଏବଂ ଅନ୍ୟ ୨୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ରେଳବାଇ ହସ୍‌ପିଟାଲ୍‌ ଓ ଅନ୍ୟାନ୍ୟ ଡାକ୍ତରଖାନାକୁ ନିଆ ଯାଇଛି।

ଏହି ଅଘଟଣରେ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା।

ଦୁର୍ଘଟନାରେ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ ବୋଲି ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି। ମାମୁଲି ଆହତ ହୋଇଥିବା ଯାତ୍ରୀମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ମିଳିବ।

ଦୁର୍ଘଟନାସ୍ଥଳରେ ସମସ୍ତ ଯାତ୍ରୀଙ୍କ ଲାଗି ରେଳବାଇ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିଛି।

ମେହନାର ରୋଡ୍‌ ଅତିକ୍ରମ କରିବା ପରେ ପାହାନ୍ତା ପ୍ରାୟ ୩:୫୮ ମିନିଟ୍‌ରେ ସହଦାଇ ବୁଜୁର୍ଗ ଠାରେ ରେଳଗାଡ଼ିଟି ଦୁର୍ଘଟନାଗ୍ରସ୍ତ ହୋଇଥିଲା। ଗୋଟିଏ ଜେନେରାଲ୍‌ କୋଚ୍‌, ଗୋଟିଏ ଏସି କୋଚ୍‌ (୩ବି), ତିନୋଟି ସ୍ଲିପର୍‌ କୋଚ୍‌ (ଏସ୍‌୮, ଏସ୍‌୯, ଏସ୍‌୧୦) ଏବଂ ଆଉ ଚାରିଟି କୋଚ୍‌ ଧାରଣାଚ୍ୟୁତ ହୋଇଥିବା କଥା ପୂର୍ବ କେନ୍ଦ୍ରୀୟ ରେଳବାଇର ମୁଖପାତ୍ର ରାଜେଶ କୁମାର କହିଛନ୍ତି।

କ୍ଷତିଗ୍ରସ୍ତ ନ ହୋଇ ଥିବା ବାକି ୧୨ଟି ଡବାକୁ ହାଜିପୁର ନିଆଯାଉଛି। ସେଠାରେ ଅତିରିକ୍ତ ଡବା ସଂଯୋଗ କରାଯିବା ପରେ ରେଳଗାଡ଼ି ଆନନ୍ଦ ବିହାର ଟର୍ମିନାଲ୍‌କୁ ଯିବ।

ଷ୍ଟେସନ୍‌ ୟାଡ୍‌ ବରାଉନି ପ୍ରାନ୍ତରେ CMS X- ING ଧାରଣା ଫାଟି ଯାଇଥିବାରୁ ଦୁର୍ଘଟନା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

ସମ୍ପୃକ୍ତ ରେଳପଥରେ ଯାତାୟତ କରିବାକୁ ଥିବା ସମସ୍ତ ରେଳ ଯାତ୍ରା ବାତିଲ କରାଯାଇଛି।

ରେଳବାଇ ତରଫରୁ ହେଲ୍‌ପ୍‌ଲାଇନ୍‌ ନମ୍ବର ମଧ୍ୟ ଜାରି କରାଯାଇଛି- ସୋନପୁର 06158221645, ହାଜିପୁର 06224272230 ବରାଉନି 06279232222।

ସମ୍ବନ୍ଧିତ ଖବର