କେନ୍ଦ୍ରରେ ଖାଲି ପଡ଼ିଛି ୭ ଲକ୍ଷ ପଦବି, ସିବିଆଇରେ ୧୦ ହଜାର ପଦବି ଖାଲି

ନୂଆଦିଲ୍ଲୀ: ବର୍ଷକୁ ୨ କୋଟି ନୂଆ ନିଯୁକ୍ତିର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦୀ ସରକାରଙ୍କ ପାଇଁ ଏବେ ଦେଶର ବେକାରି ସମସ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଲାଣି। ନୂଆ ନିଯୁକ୍ତି ଦେବା ତ ଦୂରର କଥା ଖାଲିଥିବା ପଦବି ମଧ୍ୟ ପୂରଣ ହୋଇପାରୁନାହିଁ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୭ ଲକ୍ଷ ପଦବିରେ କର୍ମଚାରୀ ନାହାନ୍ତି। ଗତବର୍ଷ ମାର୍ଚ୍ଚ ୧ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏସବୁ ପଦବି ଖାଲି ପଡ଼ିଛି। ଗୁରୁବାର ରାଜ୍ୟସଭାରେ ସରକାର ଏହି ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୨୦୧୮ ମାର୍ଚ୍ଚ ୧ ସୁଦ୍ଧା ମୋଟ ୬ ଲକ୍ଷ ୮୩ ହଜାର ୮୨୩ଟି ପଦବି ଖାଲି ପଡ଼ିଛି। ଏଥିରୁ ‘ଗ୍ରୁପ୍‌ ସି’ ବର୍ଗରେ ୫ ଲକ୍ଷ ୭୪ ହଜାର ୨୮୯ଟି ପଦବି ଖାଲି ଥିବାବେଳେ ‘ଗ୍ରୁପ୍ ବି’ ବର୍ଗରେ ୮୯ ହଜାର ୬୩୮ ପଦବି, ‘ଗ୍ରୁପ୍ ଏ’ ବର୍ଗରେ ୧୯ ହଜାର ୮୯୬ ପଦବି ଖାଲି ରହିଛି। ଦେଶରେ ଗୁରୁତ୍ବପୂର୍ଣ୍ଣ ଅପରାଧର ତଦନ୍ତ କରୁଥିବା ସିବିଆଇରେ ମଧ୍ୟ ୧୦ ହଜାରରୁ ଅଧିକ ପଦବି ଫାଙ୍କା ରହିଛି। ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ତେବେ ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି, ଖାଲି ପଡ଼ିଥିବା ପଦବି ସମ୍ପର୍କରେ ବିଭିନ୍ନ ବିଭାଗ ଦେଇଥିବା ରିପୋର୍ଟକୁ ଭିତ୍ତିକରି କର୍ମଚାରୀ ଚୟନ ଆୟୋଗ ୨୦୧୯-୨୦ ବର୍ଷରେ ୧ ଲକ୍ଷ ୫ ହଜାର ୩୩୮ଟି ପଦବି ପୂରଣ ପାଇଁ ପଦକ୍ଷେପ ନେଇଛି। ଏହା ପୂର୍ବରୁ ରେଳ ମନ୍ତ୍ରାଳୟ ଏବଂ ରେଳ ନିଯୁକ୍ତି ବୋର୍ଡ ଗୁଡ଼ିକ ପକ୍ଷରୁ ୨୦୧୭-୧୮ ବର୍ଷରେ ଗ୍ରୁପ୍ ସି ଏବଂ ଲେଭଲ-୧ ବର୍ଗରେ ୧ ଲକ୍ଷ ୨୭ ହଜାର ୫୭୩ଟି ପଦବି ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞାପନ ଅନୁଯାୟୀ ଏହା କରାଯାଇଛି। ସେହିଭଳି ଅନ୍ୟ ୫ଟି କେନ୍ଦ୍ରୀୟ ନିଯୁକ୍ତି ବିଜ୍ଞପ୍ତିରେ ୨୦୧୮-୧୯ ବର୍ଷରେ ୧ ଲକ୍ଷ ୫୬ ହଜାର ୧୩୮ଟି ଗ୍ରୁପ୍ ସି ଏବଂ ଲେଭଲ-୧ ପବଦି ପୂରଣ ପାଇଁ ପଦକ୍ଷେପ ନିଆଯାଇଛି।

ଡାକ ବିଭାଗ ପକ୍ଷରୁ ଖାଲିଥିବା ୧୯ ହଜାର ୫୨୨ଟି ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ପରୀକ୍ଷା କରାଯାଇଛି। ତେଣୁ କର୍ମଚାରୀ ଚୟନ ଆୟୋଗ, ରେଳବାଇ ନିଯୁକ୍ତି ବୋର୍ଡ ଏବଂ ଡାକ ବିଭାଗ ପକ୍ଷରୁ ୪ ଲକ୍ଷ ୮ ହଜାର ୫୯୧ଟି ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ କମ୍ ଦିନ ମଧ୍ୟରେ ଶେଷ କରିବା ପାଇଁ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଗୁଡ଼ିକ କମ୍ପ୍ୟୁଟରରେ ଅନଲାଇନ୍ ପରୀକ୍ଷା କରାଯାଉଛି। ଅଣ ଗେଜେଟେଡ୍ ପଦବି ପାଇଁ ସାକ୍ଷାତକାରକୁ ବାଦ୍ ଦିଆଯାଇଛି। ୨୦୧୬ ଜାନୁଆରି ପହିଲାରୁ ଏଭଳି କରାଯାଉଛି।

ସମ୍ବନ୍ଧିତ ଖବର