କେରଳ ବନ୍ୟା: ବିଦେଶୀ ସହାୟତା ନେଇ ବିବାଦ ଥମୁନି

ଭାରତକୁ ୭୦୦ କୋଟି ରିଲିଫ୍‌ ଅଫର୍‌ ଦେଇନାହୁଁ: ୟୁଏଇ

ନୂଆଦିଲ୍ଲୀ: କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ବିଦେଶୀ ସହାୟତା ଗ୍ରହଣ କରାଯିବ କି ନାହିଁ ସେ ନେଇ ବିବାଦ ଜାରି ରହିଥିବା ବେଳେ ଆଜି ଭାରତରେ ଅବସ୍ଥାପିତ ୟୁଏଇ ରାଷ୍ଟ୍ରଦୂତ ଏକ ସାକ୍ଷାତକାରରେ କହିଛନ୍ତି ଯେ କେରଳକୁ ୭୦୦ କୋଟି ଟଙ୍କାର ସହାୟତା ପ୍ରଦାନ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାର କୌଣସି ଆଧାର ନାହିଁ। ୟୁଏଇ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ଆନୁଷ୍ଠାନିକ ଘୋଷଣା କରି ନାହାନ୍ତି କିମ୍ବା ସହାୟତା ରାଶି ନେଇ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କୁ କୌଣସି ସୂଚନା ଦେଇନାହାନ୍ତି ବୋଲି ରାଷ୍ଟ୍ରଦୂତ ଅହମ୍ମଦ ଅଲ୍‌ବନ୍ନ କହିଛନ୍ତି । କେରଳ ବନ୍ୟାରେ ରିଲିଫ୍‌ ଅପରେସନକୁ ଏବେ ଆକଳନ କରାଯାଉଛି ଏବଂ ସହାୟତା ପ୍ରଦାନ ସଂପର୍କରେ କୌଣସି ନିଷ୍ପତ୍ତି ହେଇନାହିଁ ବୋଲି ସେ କହିଛନ୍ତି। ଏଭଳି ସ୍ଥିତିରେ ୟୁଏଇର ଅନୁଦାନକୁ ଭାରତ ସରକାର ଫେରାଇଦେବା ନେଇ ଯେଉଁ ଖବର ପ୍ରଚାରିତ ହେଉଛି ତାହା ଭିତ୍ତହୀନ ବୋଲି ସେ କହିଛନ୍ତି। ଭାରତରେ ଆର୍ଥିକ ସହାୟତା ସଂପର୍କିତ ନିୟମାବଳୀକୁ ୟୁଏଇ ଅନୁଧ୍ୟାନ କରିବା ପରେ ଭାରତୀୟ ଅଧିକାରୀଙ୍କ ସହିତ ଏ ବାବଦରେ ଆଲୋଚନା ହେବ ଏବଂ ସମନ୍ଵୟ ଭିତ୍ତିରେ ହିଁ ସହାୟତା ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ସେ କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ୟୁଏଇର ୭୦୦ କୋଟି ଟଙ୍କା ସହାୟତା ଗ୍ରହଣ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିବା ବେଳେ ଅସଲରେ ଏଭଳି କୌଣସି ପ୍ରସ୍ତାବ ୟୁଏଇ ଦେଇନଥିବା ସ୍ପଷ୍ଟ ହୋଇଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଏହି ୭୦୦ କୋଟି ଟଙ୍କାର ସହାୟତା ଅଫର୍‌ କେଉଁଠାରୁ ପାଇଲେ ଏବଂ ତାଙ୍କୁ ଏଭଳି ପ୍ରତିଶ୍ରୁତି କିଏ ଦେଇଛି ତାହା ସେ ସ୍ପଷ୍ଟ କରନ୍ତୁ ବୋଲି କେରଳ ବିଜେପି ଦାବି କରିଛି। ୟୁଏଇ ସହାୟତା ନେଇ କୌଣସି ସୂଚନା ଦେଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୭୦୦ କୋଟି ଟଙ୍କା ଗ୍ରହଣ ପାଇଁ ବ୍ୟାକୁଳତା ବିସ୍ମୟକର ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର