ତାଣ୍ଡବ ରଚିଲା ମୌସୁମୀ; ବର୍ଷା ଓ ବନ୍ୟାରେ ଦେଶର ୭ଟି ରାଜ୍ୟରେ ବିପୁଳ କ୍ଷୟକ୍ଷତି, ୭୭୪ ଜଣଙ୍କର ମୁତ୍ୟୁ

କେରଳର ବନ୍ୟା ପରିସ୍ଥିତି ସଙ୍ଗୀନ୍‌

ନୂଆଦିଲ୍ଲୀ: ଚଳିତ ବର୍ଷ ସମଗ୍ର ଦେଶରେ ତାଣ୍ଡବ ରଚିଛି ମୌସୁମୀ। କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି ସୁଦ୍ଧା ମୌସୁମୀ ବର୍ଷା ଓ ତଦ୍‌ଜନିତ ସୃଷ୍ଟ ବନ୍ୟା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ୭୭୪ ଜଣଙ୍କର ମୁତ୍ୟୁ ଘଟିଥିବା ବେଳେ ୭ଟି ରାଜ୍ୟ ବନ୍ୟା ଦ୍ୱାରା ଗଭୀର ଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ ହୋଇଛନ୍ତି। ଏବଂ କେରଳର ବନ୍ୟା ପରିସ୍ଥିତି ସଙ୍ଗୀନ୍‌ ହୋଇପଡ଼ିଛି।

ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ନ୍ୟାସନାଲ ଇମର୍ଜେନ୍ସି ରେସ୍‌ପନ୍ସ ସେଣ୍ଟର (ଏନ୍‌ଇଆରସି) ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି, ମୌସୁମୀ ବର୍ଷା ଓ ବନ୍ୟା କାରଣରୁ ସର୍ବାଧିକ ୧୮୭ ଜଣ ବ୍ୟକ୍ତିଙ୍କର ମୁତ୍ୟୁ କେରଳରେ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୧୭୧, ପଶ୍ଚିମବଙ୍ଗରେ ୧୭୦ ଏବଂ ମହାରାଷ୍ଟ୍ରରେ ୧୩୯ ଜଣ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଛି। ସେହିପରି ଗୁଜୁରାଟରେ ୫୨, ଆସାମରେ ୪୫ ଏବଂ ନାଗାଲାଣ୍ଡରେ ୮ ଜଣ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଛି। ଏହାବାଦ୍‌ ୨୭ ଜଣ ବ୍ୟକ୍ତି ନିଖୋଜ ଥିବା ବେଳେ ୨୪୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୨ ଜଣ କେରଳର ହୋଇଥିବା ବେଳେ ୫ ଜଣ ହେଉଛନ୍ତି ପଶ୍ଚିମବଙ୍ଗର।

ସେହିପରି ମୌସୁମୀ ବର୍ଷା ପ୍ରଭାବରେ ମହାରାଷ୍ଟ୍ରର ୨୬ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ, ଆସାମର ୨୩, ପଶ୍ଚିମବଙ୍ଗର ୨୨, କେରଳର ୧୪, ଉତ୍ତରପ୍ରଦେଶର ୧୨, ନାଗାଲାଣ୍ଡର ୧୧ ଏବଂ ଗୁଜୁରାଟର ୧୦ଟି ଜିଲ୍ଲାରେ ମୌସୁମୀ ବର୍ଷା କାରଣରୁ ବ୍ୟାପକ କ୍ଷୟକ୍ଷତି ଘଟିଛି।

ମୌସୁମୀ ବର୍ଷା ଓ ବନ୍ୟା ପ୍ରଭାବରେ ଆସାମରେ ୧୧.୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨୭,୫୫୨ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇ ଯାଇଛି। ଆସାମରେ ବର୍ଷା ଓ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍‌ର ୧୫ଟି ଟିମ୍‌କୁ ମୁତୟନ କରାଯାଇଛି। ସେହିପରି ବର୍ଷା ଓ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସହାୟତା ପାଇଁ ଉତ୍ତରପ୍ରଦେଶରେ ୮, ପଶ୍ଚିମବଙ୍ଗରେ ୮, ଗୁଜୁରାଟରେ ୭, କେରଳ ୪, ମହାରାଷ୍ଟ୍ର ୪ ଏବଂ ନାଗାଲାଣ୍ଡରେ ୧ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ମୁତୟନ କରା ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି।

ମୌସୁମୀ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଦେଶର ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ପ୍ରମୁଖ ୧୬ଟି ରାଜ୍ୟକୁ ସତର୍କ ସୂଚନା ଜାରି କରାଯାଇଛି।

କେରଳରେ ବନ୍ୟା ସ୍ଥିତି ବେଶ ଗମ୍ଭୀର ଓ ସଙ୍ଗୀନ୍‌ ରହିଛି। ପ୍ରାୟ ଅର୍ଦ୍ଧାଧିକ କେରଳ ବନ୍ୟା ପ୍ଲାବିତ ହୋଇ ପଡ଼ିଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୩୯ ଜଣଙ୍କର ମୁତ୍ୟୁ ଘଟିଛି। ଚଳିତ ବନ୍ୟା ଫଳରେ ରାଜ୍ୟରେ କ୍ଷୟକ୍ଷତିର ସଂପୂର୍ଣ୍ଣ ଆକଳନ କରାଯାଇ ପାରି ନଥିଲେ ସୁଦ୍ଧା କେରଳ ରାଜ୍ୟ ସରକାର ୧୨୨୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମାଗିଛନ୍ତି। ତେବେ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆକାଶ ମାର୍ଗରୁ କେରଳର ବନ୍ୟା ପରିସ୍ଥିତି ଦେଖିବା ପରେ କେନ୍ଦ୍ର ପକ୍ଷରୁ ୧୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେବାପାଇଁ ଘୋଷଣା କରିଛନ୍ତି। ୧୯୨୪ ପର ଠାରୁ କେରଳ କେବେବି ଏପ୍ରକାରର ଭୟାବହ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇ ନଥିବା କୁହାଯାଉଛି।

ସମ୍ବନ୍ଧିତ ଖବର