୭୯ ବର୍ଷ ବୟସ୍କ ବାପ କରୁଥିଲା ଅନାଥାଶ୍ରମର ନାବାଳିକା ଅନ୍ତେବାସିନୀଙ୍କୁ ଦୁଷ୍କର୍ମ; ଏଥିରେ ସହାୟତା କରୁଥିଲା ୫୦ ବର୍ଷ ବୟସ୍କା ଝିଅ

ଭୋପାଳ (ମଧ୍ୟପ୍ରଦେଶ): ନାବାଳିକାମାନଙ୍କୁ ଦୁଷ୍କର୍ମ କରିବା ପରି ଜଘନ୍ୟ ଓ ଘୃଣ୍ୟ ଅପରାଧରେ ସଂପୃକ୍ତ ଥିବା ଅପରାଧରେ ଜନୈକ ୭୯ ବର୍ଷ ବୟସ୍କ ବୃଦ୍ଧ ଓ ଏହି ଘୃଣ୍ୟ ଅପରାଧ ଘଟାଇବା ପାଇଁ ତାଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଥିବା ତାଙ୍କର ୫୦ ବର୍ଷ ବୟସ୍କା କନ୍ୟାକୁ ମଧ୍ୟପ୍ରଦେଶର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡରେ ଦଣ୍ଡିତ କରିବା ଘଟଣା ଆଜି ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟ ଅପରାଧୀ ୭୯ ବର୍ଷ ବୟସ୍କ ଏନ୍‌କେ ଅଗ୍ରଓ୍ଵାଲ ଜଣେ ସରକାରୀ କଲେଜର ଅବସରପ୍ରାପ୍ତ ପ୍ରଫେସର ହୋଇଥିବା ବେଳେ ଏହି ଅପରାଧରେ ତାଙ୍କର ମୁଖ୍ୟ ସହଯୋଗୀ ସାଜିଥିବା ତାଙ୍କର ୫୦ ବର୍ଷ ବୟସ୍କା କନ୍ୟା ଶଇଲା ଅଗ୍ରଓ୍ଵାଲ ବୃତ୍ତିରେ ଜଣେ ଆଇନଜୀବୀ।

ହସ୍ତଗତ ହୋଇଥିବା ମାମଲାର ବିବରଣୀରୁ ପ୍ରକାଶ, ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଶଇଲା ଏକ ଅନାଥାଶ୍ରମ ଖୋଲିଥିଲେ। ଏହି ଅନାଥାଶ୍ରମରେ କେବଳ ଅନାଥ ବାଳିକାମାନଙ୍କୁ ରଖା ଯାଉଥିଲା। ଏହି ଅନାଥାଶ୍ରମରେ ୨୩ ଜଣ ଅନ୍ତେବାସିନୀ ଥିବାବେଳେ ଏମାନଙ୍କ ମଧ୍ୟରେ ୬ ଜଣ ଥିଲେ ନାବାଳିକା; ଯେଉଁମାନଙ୍କର ବୟସ ୧୦ରୁ ୧୬ ବର୍ଷ ମଧ୍ୟରେ ରହିଥିଲା। ତେବେ, ଏହି ଅନାଥାଶ୍ରମରେ ଅନ୍ତେବାସିନୀ ଥିବା ନାବାଳିକା ଝିଅମାନଙ୍କୁ ୭୯ ବର୍ଷ ବୟସ୍କ ଏନ୍‌କେ ଅଗ୍ରଓ୍ଵାଲ ପ୍ରତ୍ୟେକ ଦିନ ରାତିରେ ଦୁଷ୍କର୍ମ କରୁଥିଲେ। ଆଉ ଏଘଟଣାରେ ତାଙ୍କୁ ସାହାଯ୍ୟ ଓ ସହଯୋଗ କରୁଥିଲେ ତାଙ୍କର ଓକିଲ ଝିଅ ଶଇଲା। ଯଦି କେହି ପ୍ରତିବାଦ କରୁଥିଲା ତେବେ ଶଇଲା ତାକୁ ନିସ୍ତୁକ ମାଡ଼ମାରି ଚୁପ୍‌ କରାଇ ଦେଉଥିଲେ।

ତେବେ, ଏହି ଅନାଥାଶ୍ରମରେ ଚାଲିଥିବା ଏହି ଜଘନ୍ୟ ଅପରାଧ ସଂପର୍କରେ କୌଣସି ସୂତ୍ରରୁ ଖବର ପାଇବା ପରେ ଶିବପୁରୀର ଜିଲ୍ଲା ଶିଶୁ ସମାଜ ମଙ୍ଗଳ ବୋର୍ଡ ତଦନ୍ତ କରି ଘଟଣାର ସତ୍ୟାତା ରହିଥିବା ଜାଣିବା ପରେ ଘଟଣା ସଂପର୍କରେ ଗତ ୨୦୧୬ ନଭେମ୍ବର ୧୬ ତାରିଖରେ, ଏହି ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପରେ ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ଏନ୍‌କେ ଓ ତାଙ୍କ ଝିଅ ଶଇଲାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଏହି ମାମଲାର ବିଚାର ସ୍ୱତନ୍ତ୍ର ଦୌରାଜଜ୍‌ ଅରୁଣ କୁମାର ବର୍ମାଙ୍କ ଅଦାଲତରେ ଚାଲିଥିଲା। ପୁଲିସ୍‌ର ତଦନ୍ତ ରିପୋର୍ଟ ଓ ଅନ୍ୟ ସାକ୍ଷ୍ୟ ପ୍ରମାଣକୁ ବିଚାରକୁ ନେଇ ବିଚାରପତି ବର୍ମା ଆଜି ନାବାଳିକା ଦୁଷ୍କର୍ମ ଅପରାଧରେ ଏନ୍‌କେ ଅଗ୍ରଓ୍ଵାଲ ଓ ଏହି ଅପରାଧ ଘଟଇବା ପାଇଁ ଅପରାଧୀକୁ ସାହାଯ୍ୟ ସହଯୋଗ ଯୋଗାଇବା ଘଟଣାରେ ଶଇଲାକ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟେକଙ୍କୁ ୧୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ଜରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧିତ ଖବର