୭ ଘାଟି ଧ୍ବଂସ କଲା ଭାରତ:୩ ପାକ ସୈନ୍ୟ ନିହତ

ଜମ୍ମୁ,: ପାକିସ୍ତାନକୁ ଉଚିତ ଜବାବ ଦେଇଛି ଭାରତ। ମଙ୍ଗଳବାର ଭାରତୀୟ ସେନା ପାକିସ୍ତାନର ୭ଟି ପୋଷ୍ଟକୁ ଧ୍ବଂସ କରିଦେଇଛି। ସୋମବାର ପାକିସ୍ତାନ ସେନାର ଗୁଳିମାଡରେ ଜଣେ ଶିଶୁ ଏବଂ ଜଣେ ଯବାନଙ୍କ ସମେତ ତିନି ଜଣ ନିହତ ହେବାର ପ୍ରତି ଜବାବ ଦେଇ ଭାରତୀୟ ସେନା ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ସେନା ପକ୍ଷରୁ କରାଯାଇଥିବା ଜବାବୀ କାର୍ଯ୍ୟନୁଷ୍ଠାନରେ ପାକ ଅଧିକୃତ କଶ୍ମୀର ଏବଂ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନର ୭ଟି ଘାଟି ସମ୍ପୂର୍ଣ ଭାବେ ଧ୍ବଂସ ହୋଇଯାଇଛି। ରଖ୍‌ଚିକ୍‌ରି ଓ ରାଓଲକୋଟ ଅଞ୍ଚଳରେ ଥିବା ପାକିସ୍ତାନୀ ଘାଟିଗୁଡିକ ନଷ୍ଟ ହୋଇଯାଇଥିବା ବେଳେ ଏଥିରେ ପାକିସ୍ତାନୀ ସେନାର ଅନେକ ଯବାନମଧ୍ୟ ନିହତ ହୋଇଥିବା ସେନା ପକ୍ଷରୁ ଦାବି କରାଯାଇଛି I ପାକିସ୍ତାନର ଇଣ୍ଟର୍‌ ସର୍ଭିସେସ ପବ୍ଲିକ ରିଲେସନସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଭାରତ ସେନାର କାର୍ଯ୍ୟନୁଷ୍ଠାନରେ ପାକିସ୍ତାନର ତିନି ଜଣ ଯବାନ ନିହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ପାକିସ୍ତାନ ସେନା ଗତକାଲି ଭାରତୀୟ ଅଞ୍ଚଳ ଉପରେ ଗୁଳି ମାଡ଼ କରିବାରୁ ପାଞ୍ଚ ବର୍ଷର ଶିଶୁ ନିହତ ହୋଇଥିବା ବେଳେ ଅନ୍ୟୂନ ୯ ଜଣ ଆହତ ହୋଇଥିଲେ। ସେନାର ମଧ୍ୟ ଜଣେ ଯବାନ ସହିଦ ହୋଇଥିଲେ ଏବଂ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ।
ଆଜି ମଧ୍ୟ ପାକିସ୍ତାନୀ ସେନା ଗୁଳିମାଡ ଜାରି ରହିଛି I ନିୟନ୍ତ୍ରଣ ରେଖା ନିକଟ ପୁଞ୍ଚ୍‌ ଓ ନୌସେରା ଅଞ୍ଚଳରେ ପ୍ରବଳ ଗୁଳିଗୋଳା ବର୍ଷା କରୁଛି I ୧୨୦ଏମଏମ ମୋର୍ଟାର ଗୁଳି ମାଡ କରାଯାଉଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି I ସୀମା ନିକଟ ଗ୍ରାମ ଗୁଡିକରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ପାକିସ୍ତାନ ସେନା ପକ୍ଷରୁ ଗୁଳିମାଡ ଜାରି ରହିଥିବା ଯାଗୁଁ ସୀମାରେ ଥିବା ପୁଞ୍ଚ୍‌ ଏବଂ ରାଜୌରୀ ଜିଲ୍ଲାର ସ୍କୁଲ ଗୁଡିକ ବନ୍ଦ ରଖିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ପାକିସ୍ତାନୀ ଗୁଳିମାଡରେ ଯେପରି କୌଣସି ଧନଜୀବନ ନଷ୍ଟ ନହେବ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି I

କାଶ୍ମୀର ସ୍ଥିତି ସମୀକ୍ଷା କଲେ ସେନା କମାଣ୍ଡର
ଶ୍ରୀନଗର: ଉତ୍ତର କମାଣ୍ଡ୍‌ର ସେନା କମାଣ୍ଡର ମଙ୍ଗଳବାର କଶ୍ମୀର ସ୍ଥିତିର ସମୀକ୍ଷା କରିଛନ୍ତି I କଶ୍ମୀରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଯାଇ ସୁରକ୍ଷା ସଂପର୍କରେ ସମୀକ୍ଷା ଆଲୋଚନା କରିବା ସହ ସାଧାରଣ ନିର୍ବାଚନ ଯେଭଳି ସୁରୁଖୁରୁରେ ପରିଚାଳନା କରାଯାଇପାରିବ ସେ ନେଇ ଯୋଜନା ପ୍ରସ୍ତୁତି କରିବାକୁ ପଦକ୍ଷେପ ନେଇଥିବା ପ୍ରକାଶ I
ଉତ୍ତର ସେନା କମାଣ୍ଡ୍‌ର ଲେଫନାଣ୍ଟ ଜେନେରାଲ ରଣବୀର ସିଂହ ଦୁଇ ଦିନିଆ କଶ୍ମୀର ଗସ୍ତରେ ଯାଇଛନ୍ତି I ପ୍ରଥମ ଦିନରେ ସେ କଶ୍ମୀରର ସୀମାନ୍ତ ଜିଲ୍ଲା ବାରମୁଲ୍ଲାର କିଛି ଅଞ୍ଚଳକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ I ସେନା ଅଧିକାରୀମାଙ୍କଠୁ ବିଭିନ୍ନ ତଥ୍ୟ ହାସଲ କରିବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରିଥିଲେ I ସାଧାରଣ ନିର୍ବାଚନ ଆଗକୁ ଥିବା ବେଳେ ସିଂହ ଆତଙ୍କବାଦୀ କାର୍ଯ୍ୟକାଳପକୁ କିଭଳି ରୋକାଯାଇପାରିବ ସେଥି ନିମନ୍ତେ ସେନା ତରଫରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଏବଂ ପ୍ରସ୍ତୁତିର ସମୀକ୍ଷା କରିଥିଲେ I
ନିରାପତ୍ତା ସମ୍ପର୍କୀୟ ଏକ ଯୁଗ୍ମ ବୈଠକରେ ଯୋଗଦେଇ ସିଂହ କଶ୍ମୀରରେ ଆତଙ୍କୀ କାର୍ଯ୍ୟକାଳପ ଏବଂ ଖରାଦିନେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେନା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଯୋଜନାର ସମୀକ୍ଷା କରିଥିଲେ I ଚିନIର୍‌ କର୍ପସ୍‌ର ମୁଖ୍ୟାଳୟ ବାଦାମୀବାଗ ଠାରେ ହୋଇଥିବା ଏହି ବୈଠକରେ ସେନା, ଜମ୍ମୁ କଶ୍ମୀର ପୋଲିସ, ସିଆର୍‌ପିଏଫ୍‌ ଏବଂ ବିଏସଏଫ୍‌ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିବା ପ୍ରକାଶ I

ସମ୍ବନ୍ଧିତ ଖବର