କ୍ୱାରେଣ୍ଟିନରେ ରହିଲେ ‘କୋଭିଡ୍-୧୯’ ଆକ୍ରାନ୍ତ ଡାକ୍ତର ସଂସ୍ପର୍ଶରେ ଆସିଥିବା ୮୦୦ ବ୍ୟକ୍ତି

ନୂଆଦିଲ୍ଲୀ: ‘କୋଭିଡ୍-୧୯’ରେ ଆକ୍ରାନ୍ତ ହୋଇଥିବା ଜଣେ ୪୯ ବର୍ଷିୟ ଘରୋଇ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୮୦୦ ବ୍ୟକ୍ତିଙ୍କୁ ଦିଲ୍ଲୀ ସରକାର କ୍ୱାରେଣ୍ଟିନରେ ରଖିଛନ୍ତି । ଶାହଦରାସ୍ଥିତ ଏକ ମୋହଲ୍ଲା କ୍ଲିନିକରେ ସେ ଡାକ୍ତରଜଣକ କାର୍ଯ୍ୟ କରୁଥିଲେ ।

ଏ ସଂକ୍ରାନ୍ତରେ ଗୁରୁବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର ଜୈନ୍ କହିଛନ୍ତି ଯେ ମୋହଲ୍ଲା କ୍ଲିନିକ୍ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ସମୁଦାୟ ୮୦୦ ଲୋକଙ୍କୁ ୧୪ ଦିନ ସକାଶ କ୍ୱାରେଣ୍ଟିନରେ ରଖାଯାଇଛି ।

ସାଉଦି ଆରବରୁ ଫେରିଥିବା ଡାକ୍ତରଙ୍କ ଘର ପାଖର ଜଣେ ୩୮ ବର୍ଷୀୟ ମହିଳା ତାଙ୍କ କ୍ଲିନିକକୁ ଯାଇଥିଲେ । ଏ କଥା ଜଣାପଡ଼ିବା ପରେ ସେ ଡାକ୍ତରଙ୍କର ସ୍ୱାବ ନମୁନା ପରୀକ୍ଷା କରାଯାଇଥିଲା । ମାର୍ଚ ୨୧ ତାରିଖ ଦିନ ଜଣାପଡ଼ିଥିଲା କି, ସେ ଡାକ୍ତର କରୋନାଭୂତାଣୁ ଦ୍ୱାରା ଆକ୍ରାନ୍ତ । କେବଳ ସେତିକି ନୁହେଁ, ତାଙ୍କ ୪୮ ବର୍ଷୀୟ ପତ୍ନୀ ଏବଂ ୧୭ ବର୍ଷୀୟ ଝିଅ ମଧ୍ୟ କରୋନାଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

ସେମାନଙ୍କୁ ଗୁରୁ ତେଗବାହାଦୁର ହସପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇଛି ।

ସମ୍ବନ୍ଧିତ ଖବର