ଗାଈ ପେଟରୁ ବାହାରିଲା ୮୦ କିଲୋ ପଲିଥିନ୍‌, ଅସ୍ତ୍ରୋପଚାର ପାଇଁ ଲାଗିଲା ୩ ଘଣ୍ଟା ସମୟ

ପାଟ୍‌ନା: ପରିବେଶ ପ୍ରଦୂଷଣର କରୁଣ ପରିଣତି ଦିନକୁ ଦିନ ବୃଦ୍ଧି ପାଉଛି। ପ୍ଲାଷ୍ଟିକ୍‌ ବ୍ୟବହାର କେତେ ଯେ କ୍ଷତିକାରକ ତାହା ପୁଣି ଥରେ ପ୍ରମାଣ ହୋଇଛି। ବିହାରର ପାଟ୍‌ନାରେ ଥିବା ଭେଟେରିନାରି କଲେଜ୍‌ରେ ହୋଇଛି ଏକ ଭିନ୍ନ ଧରଣର ଅସ୍ତ୍ରୋପଚାର। ବୁଧବାର ଉକ୍ତ ଭେଟେରିନାରି କଲେଜର ଡାକ୍ତର ଦୀର୍ଘ ୩ ଘଣ୍ଟା ଅସ୍ତ୍ରୋପଚାର କରିବା ପରେ ଏକ ଗାଈ ପେଟରୁ ୮୦ କିଲୋର ନଷ୍ଟ ପଲିଥିନ୍‌ ବାହାର କରିଛନ୍ତି। ଅଳିଆ ଭିତରୁ ପଶୁମାନେ ଖାଦ୍ୟ ଖାଉଥିବାରୁ ସମୟେ ସମୟେ ସେମାନଙ୍କ ପେଟକୁ ପଲିଥିନ୍‌ ଯାଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

ଛଅ ବର୍ଷିଅ ଏହି ଗାଈର ଅସ୍ତ୍ରୋପଚାର କରିଥିବା ପଶୁ ଡାକ୍ତର ଜିଡି ସିଂହ ଏ ସଂପର୍କରେ କହନ୍ତି, ‘ଗାଈ ପେଟକୁ ପୂରା ସଫା କରିବା ପାଇଁ ପୂରାପୂରି ୩ ଘଣ୍ଟା ସମୟ ଲାଗିଥିଲା। ମୋର ୧୩ ବର୍ଷ ଡାକ୍ତରୀ ଜୀବନ ଭିତରେ ଏହା ପ୍ରଥମ। ପୂର୍ବରୁ ୮୦ କିଲୋର ପଲିଥିନ୍‌ କେବେ ବି କେଉଁ ଗାଈ ପେଟରୁ ମୁଁ ବାହାର କରିନଥିଲି।’

ଉଲ୍ଲେଖଯୋଗ୍ୟ, ନିକଟରେ ବିଶ୍ୱ ପରିବେଶ ଦିବସ ୨୦୧୮ରେ ହୋଇଥିବା ଏକ ସମ୍ମିଳନୀରେ ଭାଷଣ ଦେଇ ପରିବେଶ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହଥିଲେ, ‘ପ୍ଲାଷ୍ଟିକ୍‌ ଦ୍ୱାରା ହେଉଥିବା ବିପଦକୁ ଶେଷ କରିବାର ଏହା ହେଉଛି ଆରମ୍ଭ।’ ସେପ୍ଟେମ୍ବରେ ମନ୍ତ୍ରୀ ଶ୍ରୀ ବର୍ଦ୍ଧନ ମତ ରଖିଥିଲେ କି ପଶୁମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟି ଦେବା ଆମର କର୍ତ୍ତବ୍ୟ। ମୁଖ୍ୟତଃ ଗୋରୁଙ୍କ ସୁରକ୍ଷା ପାଇଁ ପ୍ଲାଷ୍ଟିକ୍‌ ପ୍ରଦ୍ୟୂଷଣକୁ ନେଇ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର