୯/୧୧ ଆକ୍ରମଣକୁ ୧୭ ପୂରିଲା:୧୯୮୮ରେ ଷଡ଼ଯନ୍ତ୍ର ରଚିଥିଲା ଲାଦେନ୍‌

ଓ୍ଵାସିଂଟନ୍‌: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ (୯/୧୧)କୁ ଆଜି ୧୭ ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ଏହି ଆକ୍ରମଣ ଘଟାଇଥିଲା, ଯାହା ସଂପୂର୍ଣ୍ଣ ଆମେରିକାକୁ ଥରାଇ ଦେଇଥିଲା। ବିଶ୍ୱବ୍ୟାପୀ ଏହି ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଏହାକୁ ବିଶ୍ୱର ସବୁଠୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି। ତେବେ ଏହି ଆକ୍ରମଣ ଘଟାଇବା ପାଇଁ ଅଲ୍‌-କାଏଦା ରାତାରାତି ଯୋଜନା ତିଆରି କରିନଥିଲା। ଏହାର ମୁଖ୍ୟ ଓସାମା ବିନ୍‌ ଲାଦେନ୍‌ ଏଥିପାଇଁ ୧୯୮୮ରେ ଷଡ଼ଯନ୍ତ୍ର ରଚିଥିଲା। ୧୯୮୮ ବା ଆକ୍ରମଣର ୧୩ ବର୍ଷ ପୂର୍ବେ ଏହି ଆକ୍ରମଣର କାହାଣୀ ଲେଖାଯାଇଥିଲା।
ସୂଚନା ମୁତାବକ, ଆମେରିକାକୁ ସଂପୂର୍ଣ୍ଣ ବର୍‌ବାଦ କରିଦେବା ପାଇଁ ଲାଦେନ୍‌ ଅଲ୍‌ କାଏଦା ନାମରେ ଆତଙ୍କବାଦୀ ଗୋଷ୍ଠୀ ଗଢ଼ିଥିଲା। ପାକିସ୍ତାନର ପେସାଓ୍ଵର ଠାରେ ଥିବା ଲାଦେନ୍‌ର ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ତା’ର ୯ ଜଣ ଘନିଷ୍ଠ ସହଯୋଗୀ ଯୋଗଦେଇଥିଲେ। ଏହି ବୈଠକରେ ହିଁ ଲାଦେନ୍‌ ନିଜ ଆତଙ୍କବାଦୀ ସଂଗଠନର ନାମ ଔପଚାରିକ ଭାବେ ଅଲ୍‌-କାଏଦା ରଖିଥିଲା। ୧୯୮୮ ପରଠାରୁ ଏହି ଆତଙ୍କବାଦୀ ଗୋଷ୍ଠୀ ବିଶ୍ୱର ଅନେକ ସ୍ଥାନରେ ଆକ୍ରମଣ ଘଟାଇ ଅନେକ ନିରୀହଙ୍କ ଜୀବନ ନେଇଥିଲା। ଆମେରିକା ଉପରେ ଅଧିକ ରାଗ ରଖି ଏହି ଗୋଷ୍ଠୀ ଅନେକ କାଣ୍ଡ ଘଟାଇଥିଲା। କେନିୟା ଏବଂ ତାଞ୍ଜାନିଆରେ ଥିବା ଆମେରିକାର ଦୂତାବାସ ଉପରେ ମଧ୍ୟ ଏହି ଗୋଷ୍ଠୀ ଆକ୍ରମଣ ଘଟାଇଥିଲା।
ଶେଷରେ ଲାଦେନ୍‌ ନିଜ ୧୩ ବର୍ଷର ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କଲା। ୪ଟି ଉଡ଼ାଜାହାଜକୁ ହାଇଜ୍ୟାକ୍‌ କରି ଏହି ଗୋଷ୍ଠୀର ୧୯ ଜଣ ସଦସ୍ୟ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ କରିଥିଲେ। କିନ୍ତୁ ଦୁଇଟି ଉଡ଼ାଜାହାଜ ଦ୍ୱାରା ଦୁଇଟି ନଭଶ୍ଚୁମ୍ବୀ ଟାଓ୍ଵାର ଧୂଳିସାତ୍‌ ହୋଇଥିଲା। ଏଥିରେ ୧୯ ଆତଙ୍କବାଦୀଙ୍କ ସମେତ ମୋଟ ୨,୯୯୬ ଜଣ ପ୍ରାଣ ହରାଇଥିଲେ। ୬,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ୯/୧୧ ଘଟଣା ପରେ ଆମେରିକା ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କଲା। ୨୦୧୧ରେ ଲାଦେନ୍‌କୁ ପାକିସ୍ତାନରେ ହତ୍ୟା କଲା। ଏବେ ଆମେରିକାର ଆଖି ଆଇଏସ୍‌ ଉପରେ ପଡ଼ିଛି।

ସମ୍ବନ୍ଧିତ ଖବର