୯/୧୧ ଆକ୍ରମଣକୁ ୧୭ ପୂରିଲା : ଦେହାବଶେଷ ଖୋଜା ସରିନି

ନ୍ୟୁୟର୍କ : ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ (୯/୧୧) ଘଟଣାକୁ ମଙ୍ଗଳବାର ୧୭ ବର୍ଷ ପୂରୁଛି। ୨୦୦୧ ସେପ୍ଟେମ୍ବର ୧୧ ତାରିଖ (ମଙ୍ଗଳବାର)ରେ ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ଦ୍ୱାରା ଏହି ଆକ୍ରମଣ ହୋଇଥିଲା। ଏଥିରେ ୧୯ ଆତଙ୍କବାଦୀଙ୍କ ସମେତ ମୋଟ ୨,୯୯୬ ଜଣ ପ୍ରାଣ ହରାଇଥିଲେ। ୬,୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଇତିମଧ୍ୟରେ ଆକ୍ରମଣକୁ ୧୭ ବର୍ଷ ପୂରଣ କରିଥିବା ବେଳେ ଏବେ ବି ୧,୧୧୧ ମୃତକଙ୍କ ଦେହାବଶେଷ ମିଳିନଥିବାରୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରିନାହିଁ। ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଏକ ଟିମ୍‌ ଏବେ ଏହାର ସନ୍ଧାନ କରୁଛି। ଆକ୍ରମଣ ପରଠାରୁ ୨୨,୦୦୦ରୁ ଅଧିକ ଦେହାବଶେଷ ସଂଗ୍ରହ କରାଯାଇଛି। ଆମେରିକା ଇତିହାସରେ ଏହାକୁ ସବୁଠାରୁ ଭୟଙ୍କର ତଥା ହୃଦୟବିଦାରକ ଘଟଣା ବୋଲି ବିବେଚନା କରାଯାଉଛି। ଆତଙ୍କବାଦୀମାନେ ୪ଟି ଉଡ଼ାଜାହାଜକୁ ହାଇଜ୍ୟାକ୍‌ କରିନେଇ ଏହି ଆକ୍ରମଣ ଘଟାଇଥିଲେ।

ସମ୍ବନ୍ଧିତ ଖବର