ସାଉଦି ଆରବରେ ଫସିଥିବା ୯ ଓଡ଼ିଆ ଶ୍ରମିକ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ : ଦୁବାଇରେ ଫସିରହିଥିବା ୧୦ ଜଣ ଓଡ଼ିଶା ଶ୍ରମିକ ମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନେ ସ୍ବଦେଶ ଫେରିଆସିଛନ୍ତି। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସହଯୋଗରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବା ପାଇଁ ଯାଇଥିଲେ। ସାଉଦି ଆରବରେ ଏହି ଶ୍ରମିକ ମାନଙ୍କୁ ନିର୍ଯାତନା ଦିଆଯାଉଥିବା ସହ ସେମାନଙ୍କୁ ଦରମା ଦିଆଯାଉନଥିଲା। ଏ ସମ୍ପର୍କରେ ଶ୍ରମିକମାନେ ସୋସିଆଲ ମିଡିଆରେ ଜଣା‌ଇଥିଲେ ଏବଂ ସେମାନଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ଅନୁରୋଧ କରିଥି‌ଲେ। ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବାପରେ କେନ୍ଦ୍ର ମନ୍ତ୍ରୀ ଧ‌େର୍ମନ୍ଦ୍ର ପ୍ରଧାନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ପତ୍ର ଲେଖି ଓଡ଼ିଆ ଶ୍ରମିକ ମାନଙ୍କୁ ଫେରାଇ ଆଣିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଫସିରହିଥିବା ଆଉ ଜଣେ ଶ୍ରମିକ ଫେରିବା ସମ୍ପର୍କିତ ଔପଚାରିକତା ପୂରଣ କରିବା ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।

ଆଜି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ୯ ଜଣ ଶ୍ରମିକମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ସ୍ବାଗତ କରିଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାରୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶୁଭ୍ରମଣ୍ୟମ ଜୟଶଙ୍କର ଓ ଦୁବାଇସ୍ଥିତ ଭାରତୀୟ ଦୂତାବାସକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେପି ନେତା ସମ୍ବିତ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର