ବିଶ୍ବବ୍ୟାପୀ ମହାସଙ୍କଟ : ମୃତ୍ୟୁ ସଂଖ୍ୟା ୯୧ ହଜାର ଟପିଲା

୧୫ ଲକ୍ଷରୁ ଅଧିକ ଆକ୍ରାନ୍ତ, ଆମେରିକାରେ ୪ ଲକ୍ଷ ୩୫ ହଜାର ଆକ୍ରାନ୍ତ

ୱାସିଂଟନ: ବିଶ୍ବବ୍ୟାପୀ ମୃତ୍ୟୁର ତାଣ୍ଡବ ରଚିଥିବା କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୫ ଲକ୍ଷ ଟପିଯାଇଛି। ବୈଶ୍ବିକ ମହାମାରୀ କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାମ ନେଉନଥିବା ବେଳେ ଏବେ ୨୦୫ଟି ରାଷ୍ଟ୍ର ଏହାର ଶିକାର ହୋଇଛନ୍ତି। ବିଶ୍ବବ୍ୟାପୀ ୯୧ ହଜାର ୮୦୦ ଲୋକ ଆଜି ସୁଦ୍ଧା କରୋନାରେ ପ୍ରାଣ ହରାଇଲେଣି। ଆମେରିକାରେ ୪ ଲକ୍ଷ ୩୫ ହଜାର ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ‌ଏବଂ ସେମାନଙ୍କ ମଧ୍ୟରୁ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ୨୪ ଘଣ୍ଟାରେ ୫ ଶହରୁ ଅଧିକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି ଏବଂ ମୃତ୍ୟୁ ସଂଖ୍ୟା ୧୫୩୦୦ରେ ପହଞ୍ଚିଛି। ଇଟାଲିରେ ୧ ଲକ୍ଷ ୪୦ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭ ହଜାର ଅତିକ୍ରମ କରିଯାଇଛି। କରୋନାରେ ୟୁରୋପୀୟ ରାଷ୍ଟ୍ର ଇଟାଲି ଏବଂ ସ୍ପେନ୍‌ ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ଚୀନ୍‌ରେ ଏ ପର୍ଯ୍ୟନ୍ତ ୩୩୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୦ ପ୍ରତିଶତ ମାମଲାରେ ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ ବୟସର ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଆମେରିକାରେ ସବୁ ବୟସର ଲୋକେ କରୋନାର ଶିକାର ହେଉଥିବା ଦେଖିବାକୁ ମିଳିଛି।

ଏବେ କରୋନା ମୃତ୍ୟୁ ସଂଖ୍ୟାରେ ଇଟାଲି ପ୍ରଥମ ସ୍ଥାନରେ ରହିଛି। ଆମେରିକାର ସ୍ଥିତି ଯେଭଳି ଭୟାନକ ରହିଛି ତାହା ୪ ଦିନ ଭିତରେ ଇଟାଲିକୁ ଅତିକ୍ରମ କରିଯିବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ବ୍ରିଟେନ୍‌ରେ ସଂକ୍ରମିତ ‌ଲୋକଙ୍କ ସଂଖ୍ୟା ପ୍ରାୟ ୬୧ ହଜାରରେ ପହଞ୍ଚିଯାଇଛି । ଆଜି ସୁଦ୍ଧା କରୋନାରେ ୭୦୯୭ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩ ହଜାର ଲୋକ ଭେଣ୍ଟିଲେଟରରେ ଅଛନ୍ତି। ଇରାନ୍‌ରେ ପ୍ରାୟ ୬୫ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାର ଲୋକ ଏଥିରେ ପ୍ରାଣ ହରାଇଛନ୍ତି। ନେଦରଲ୍ୟାଣ୍ଡ, ବେଲ୍‌ଜିୟମ, ସ୍ବିଜରଲ୍ୟାଣ୍ଡ୍‌, ବ୍ରାଜିଲ, କାନାଡ଼ା ଏବଂ ତୁର୍କୀରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବାରୁ କଟକଣା ଅଧିକ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର