ବାଜପେୟୀଙ୍କ ୯୩ତମ ଜନ୍ମ ଦିନରେ ମୁକ୍ତ ହେବେ ୯୩ ଜଣ କଏଦୀ

ଲକ୍ଷ୍ନୋ:ଆସନ୍ତା ଡିସେମ୍ବର ୨୫ ତାରିଖ ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ବରିଷ୍ଠ ବିଜେପି ନେତା ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ୯୩ତମ ଜନ୍ମ ଦିବସ ପାଳନ କରିବେ। ଏହି ୯୩ତମ ଜନ୍ମଦିବସକୁ ସ୍ମରଣୀୟ କରିବା ପାଇଁ ଉତ୍ତର ପ୍ରଦେଶର ବିଭିନ୍ନ ଜେଲରେ କାରାଦଣ୍ଡ ଭୋଗୁଥିବା ୯୩ ଜଣ କଏଦୀଙ୍କୁ ଉତ୍ତରପ୍ରଦେଶ ସରକାର ମୁକ୍ତି ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି।


ଏ ନେଇ ଉତ୍ତରପ୍ରଦେଶ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀଙ୍କ ୯୩ତମ ଜନ୍ମଦିନରେ ଯେଉଁ ୯୩ ଜଣଙ୍କୁ ମୁକ୍ତ କରାଯିବ ସେମାନଙ୍କୁ ଜେଲର ଅନ୍ତେବାସୀମାନଙ୍କ ମଧ୍ୟରୁ ବଛାଯାଇଛି। ଏହି ବନ୍ଦୀମାନେ ହେଉଛନ୍ତିି ସେହି ବର୍ଗର ଯେଉଁମାନେ ସେମାନଙ୍କ ଅପରାଧ ପାଇଁ ସଜା କାଟି ସାରିଛନ୍ତି, ମାତ୍ର ସେମାନଙ୍କ ଉପରେ ଲଗାଯାଇଥିିବା ଜରିମାନା ଦେଇ ପାରି ନ ଥିବାରୁ ଅତିରିକ୍ତ ସମୟ ଜେଲରେ କାଟୁଛନ୍ତି। ସେହିପରି ଯେଉଁମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି ସେମାନଙ୍କୁ ଚିହ୍ନଟ ସମୟରେ ଗୋଟିଏ କଥାକୁ ଗୁରୁତ୍ୱ ଦିଆଯାଇଛି ଯେ ଏହି ବନ୍ଦୀମାନେ ଅନ୍ୟ କୌଣସି ଅପରାଧରେ ସମ୍ପୃକ୍ତ ନ ଥିବେ କିମ୍ବା କୌଣସି କୋର୍ଟ ଦ୍ୱାରା ସଜା ପାଇ ନ ଥିବେ। ଏହିପରି ୧୩୫ ଜଣ କଏଦୀଙ୍କ ତଥ୍ୟ ବର୍ତ୍ତମାନ ଗୃହ ବିଭାଗର ଜେଲ ପ୍ରଶାସନ ଓ ସଂସ୍କାର ସେବା ପାଖରେ ଅଛି। ତେଣୁ ଏହି ୧୩୫ଜଣଙ୍କ ମଧ୍ୟରୁ କେଉଁ ୯୩ ଜଣଙ୍କୁ ମୁକ୍ତ କରାଯିବ ତାହା ଲଟେରି ମାଧ୍ୟମରେ ସ୍ଥିର କରାଯିବ ବୋଲି ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏପରିକି ଅନ୍ୟ କଏଦୀମାନଙ୍କ ମୁକ୍ତି ପାଇଁ ଯଦି କୌଣସି ସମାଜାସେବୀ ସଂସ୍ଥା କିମ୍ବା ବେସରକାରୀ ଅନୁଷ୍ଠାନ ସେମାନଙ୍କ ଜରିମାନା ଦେବାକୁ ଚାହୁଁଥାନ୍ତି, ତେବେ ସେ ଦିଗରେ ବିଭିନ୍ନ ସଂସ୍ଥା ସହିତ ଯୋଗାଯୋଗ କରିବାକୁ ଜେଲ ପ୍ରଶାସନକୁ କୁହାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


ସୂଚନାଯୋଗ୍ୟ ଯେ, ଅଟଳ ବିହାରୀ ବାଜପେୟୀ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ଓ ପ୍ରଥମ ସାଂସଦ। ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ପୂର୍ବରୁ ୩ ଥର କ୍ଷମତାସୀନ ହୋଇଛି। ପ୍ରଥମ ଥର ୧୩ ଦିନ ପାଇଁ ,ଦ୍ୱିତୀୟ ଥର ୧୩ ମାସ ପାଇଁ ଓ ତୃତୀୟ ଥର ପୂର୍ଣ୍ଣ ସମୟ ପାଇଁ ବିଜେପି ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାରେ ଗଠନ କରିଥିଲା ଓ ଏହି ଏନଡିଏ ସରକାର ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ। ଦୀର୍ଘ ଦିନ ହେବ ବାଜପେୟୀ ପ୍ରତ୍ୟେକ୍ଷ ରାଜନୀତିରୁ ସନ୍ୟାସ ନେଇ ସାରିଛନ୍ତି। ତଥାପି ଲକ୍ଷ୍ମୋ ଓ ବିଦିଶା ଲୋକ ସଭା ଆସନରୁ ଦୀର୍ଘ ଦିନ ଧରି ପ୍ରତିନିଧିତ୍ୱ କରିଥିବା ଏହି ବରିଷ୍ଠ ନେତାଙ୍କ ପ୍ରତି ବିଜେପିର ତଳ ଠାରୁ ଉପର ପର୍ଯ୍ୟନ୍ତ ସମସ୍ତ କର୍ମୀ ଓ ନେତାଙ୍କର ରହିଛି ଏକ ଆନ୍ତରିକ ଭଲପାଇବା। ସେହି ଭଳ ପାଇବାର ନିଦର୍ଶନ ସ୍ୱରୁପ ତାଙ୍କ ୯୩ତମ ଜନ୍ମଦିନରେ ୯୩ ଜଣ କଏଦୀଙ୍କୁ ମୁକ୍ତ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର