ୟୁପି, ଉତ୍ତରାଖଣ୍ଡରେ ବିସ୍ଫୋରକ ପରିସ୍ଥିତି : ବିଷାକ୍ତ ମଦ ନେଲାଣି ୯୮ ଜୀବନ

ଲକ୍ଷ୍ନୌ : ବିଷାକ୍ତ ମଦ ଯୋଗୁଁ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମୃତ୍ୟୁର ତାଣ୍ଡବ। ଉଭୟ ରାଜ୍ୟରେ ଏହି କାରଣରୁ ଗତକାଲି ଠାରୁ ମୃତ୍ୟୁସଂଖ୍ୟା ବଢିବ‌ାରେ ଲାଗିଛି। ବର୍ତମାନ ସୁଦ୍ଧା ୯୮ ଜଣ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ୟୁପିରେ ୭୮ ଜଣ ପ୍ରାଣ ହରାଇଥିବା ବେଳେ ଉତ୍ତରାଖଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ଘଟିଲାଣି।

କେବଳ ଉତ୍ତରପ୍ରଦେଶର ଶାହରନପୁରରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୁଶିନଗରରେ ୧୪ ଜଣ ପ୍ରାଣ ହରାଇଛନ୍ତି। ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଅତିରିକ୍ତ ଡିଜି ଅଶୋକ କୁମାର କହିଛନ୍ତି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡରେ ଚିକିତ୍ସାଧୀନ ଥିବା ଲୋକଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି।

ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୫୦ ଜଣଙ୍କ ପୋଷ୍ଟମର୍ଟମ ହୋଇଛି ଏବଂ ସେଥିରୁ ୪୩ ଜଣଙ୍କ ମୃତ୍ୟୁ ମଦ ଯୋଗୁଁ ହୋଇଥିବା କୁହାଯାଇଛି । ଉଭୟ ରାଜ୍ୟରେ ଏହି ମଦମୃତ୍ୟୁ ନେଇ ଅବକାରୀ ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ‌ଘୋଷଣା ହୋଇଛି। ଉତ୍ତର ପ୍ରଦେଶ ପୁଲିସ ଏବଂ ଅବକାରୀ ବିଭାଗ ଏହି ମାମଲାରେ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା ବେଳେ ଉତ୍ତରାଖଣ୍ଡରେ ୧୫ ଜଣ ଗିରଫ ହୋଇଛନ୍ତି।

ଉତ୍ତରାଖଣ୍ଡର ଏକ ବେଆଇନ ଭାଟିରୁ ମଦ ଉତ୍ତରପ୍ରଦେଶକୁ ଚାଲାଣ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉତ୍ତର ପ୍ରଦେଶରେ ଏବେ ଅଧିକାଂଶ ଜିଲ୍ଲାରେ ଚୋରା ମଦର ବନ୍ୟା ଛୁଟିଥିବା ବେଳେ ଏଭଳି ମଦ ବିଭୀଷିକା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛି। ଅନେକ ସ୍ଥାନରେ ରାଜନେତା ଛତ୍ରଛାୟାରେ ମଦ ମାଫିଆମାନେ ରହିଥିବା ଜଣାପଡ଼ିଛି। ରାଜ୍ୟରେ ଏବେ ଶହ ଶହ ସ୍ଥାନରେ ଚୋରା ମଦ ଭାଟି ରହିଛି।

ସମ୍ବନ୍ଧିତ ଖବର