ଟ୍ରେନ୍‌ରେ ପ୍ରବାସୀ ଶ୍ରମିକଙ୍କ ସମେତ ୧୦ ମାସର ଶିଶୁ ମୃତ

ନୂଆଦିଲ୍ଲୀ: ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ରେ ଯାତ୍ରା କରୁଥିବାବେଳେ ଉତ୍ତରପ୍ରଦେଶରେ ଜଣେ ପ୍ରବାସୀ ଶ୍ରମିକଙ୍କ ସମେତ ଜଣେ ୧୦ ମାସର ଶିଶୁଙ୍କର ମୃତ୍ୟୁ ଘଟିଛି। ଆଲିଗଡ଼ ଷ୍ଟେସନରୁ ଶିଶୁଟିର ଶ୍ବାସଜନିତ ସମସ୍ୟା ଆରମ୍ଭ ହୋଇଥିଲା। ଶିଶୁଟିର ମା’ ଓ ପରିବାର ସଦସ୍ୟ ବିଭିନ୍ନ ଷ୍ଟେସନରେ ଜିଆର୍‌ପିକୁ ଅନୁରୋଧ କରି ଶିଶୁର ଚିକିତ୍ସା ପାଇଁ ଜଣାଇଥିଲେ। ମାତ୍ର, ଜିଆର୍‌ପି ସେମାନଙ୍କ କଥା ଶୁଣି ନଥିଲେ। ଚିକିତ୍ସା ସୁବିଧା ନ ପାଇ ଟ୍ରେନ୍‌ରେ ଶିଶୁଟିର ମୃତ୍ୟୁ ହୋଇଗଲା ବୋଲି ମୃତ ଶିଶୁର ଜେଜେବାପା ଦେବ ଲାଲ୍‌ ଅଭିଯୋଗ କରିଛନ୍ତି।

ଶିଶୁଟିର ମୃତ୍ୟୁ ହେବା ପରେ ରେଳ ଅଧିକାରୀମାନେ କରୋନାଭୂତାଣୁ ସନ୍ଦେହରେ ମୃତ ଶିଶୁର ବାପା, ମା’ଙ୍କୁ କ୍ବାରାଣ୍ଟିନ୍‌ କେନ୍ଦ୍ରକୁ ନେଇଯାଇଥିଲେ। ସେହିଭଳି ଚିକିତ୍ସା ଅବହେଳା ଓ ଖାଦ୍ୟାଭାବରୁ ଉକ୍ତ ଟ୍ରେନ୍‌ରେ ଯାତ୍ରା କରୁଥିବା ଅନ୍ୟ ଜଣେ ୪୬ ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ଖାଦ୍ୟ ବିନା ତାଙ୍କର ମୃତ୍ୟୁ ହୋଇଛି ବୋଲି ମୃତ ଶ୍ରମିକଙ୍କ ପୁତୁରା ରବିଶ ଯାଦବ କହିଛନ୍ତି। ଟ୍ରେନ୍‌ରେ ଆଦୌ ଖାଦ୍ୟ ଓ ପାଣି ଦିଆ ଯାଉ ନଥିଲା। ଦୀର୍ଘ ୬୦ ଘଣ୍ଟା କାଳ ଖାଦ୍ୟ ନ ଖାଇ ଏବଂ ପାଣି ନ ପିଇ ତାଙ୍କ ଦାଦାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ମୃତ ଶ୍ରମିକଙ୍କର ପୁତୁରା ଅଭିଯୋଗ କରିଛନ୍ତି। ମୃତ ଶ୍ରମିକ ମୁମ୍ବାଇରେ ନିର୍ମାଣ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର