ଆରବ ସାଗରରେ ଘନୀଭୂତ ହେଲା ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ‘ସାଗର’

0 1,073

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ‘ସାଗର’ ଆରବ ସାଗର ଉପରେ ଘନୀଭୂତ ହୋଇଛି। ଭାରତୀୟ ଉପକୂଳ ଠାରୁ ବହୁ ଦୂରରେ ଆରବ ସାଗରର ‘ଗଲ୍ଫ ଅଫ୍‌ ଏଡେନ୍‌’ ଠାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ସାଗର’ ଭାରତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ସଂପର୍କରେ ପୂର୍ବାନୁମାନ କରୁଥିବା ସ୍କାଇମେଟ୍‌ ସଂସ୍ଥା କହିଛି। ଆରବ ସାଗର ଉପରେ ବର୍ତ୍ତମାନ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଗତି କରୁଥିବା ସାମୁଦ୍ରିକ ଝଡ଼ ‘ସାଗର’ ଆଜି ଅପରାହ୍ଣ ୪ଟା ସୁଦ୍ଧା ୟେମେନ୍‌ ଉପକୂଳ ଠାରୁ ୫୬୦ କିଲୋମିଟର ଦୂରରେ ରହିଥିଲା। ୧୯ ତାରିଖ ରାତି ସୁଦ୍ଧା ସାମୁଦ୍ରିକ ଝଡ଼ ସାଗର ୟେମେନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ତେବେ, ୟେମେନ ଉପକୂଳ ଅତିକ୍ରମ କଲାବେଳକୁ ସାମୁଦ୍ରିକ ଝଡ଼ ସାଗର ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବ। ତେଣୁ ଏହାର ପ୍ରଭାବରେ ୟେମେନ୍‌, ସୋମାଲିଆ ଓ ସାଉଦି ଆରବରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପୂର୍ବାନୁମାନ କରିଛି ସ୍କାଇମେଟ୍‌ ସଂସ୍ଥା।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ସାଗର ପ୍ରଭାବରେ ପଶ୍ଚିମ- କେନ୍ଦ୍ରୀୟ ଓ ଦକ୍ଷିଣ- ପଶ୍ଚିମ ଆରବ ସାଗର ଅଞ୍ଚଳ ଅଶାନ୍ତ ରହିବ। ଏବଂ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ବେଗରେ ସାମୁଦ୍ରିକ ପବନ ବହିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇ ଦିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.