ଅନାଥ ଯୁବକଙ୍କ ଚିକିତ୍ସା ପାଇଁ ଆଦାୟ ହୋଇଥିବା ଟଙ୍କାରୁ ୮୦ପ୍ରତିଶତ ଟଙ୍କା ଦାନ କଲା ପୁନେର ଗଣେଶ ପୂଜା କମିଟି

ପୁନେ : ଆଜି ପବିତ୍ର ଗଣେଶ ପୂଜା ଅବସରରେ ଦେଶର ପ୍ରତି କୋଣ ଅନୁକୋଣରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି । ସବୁ ପୂଜା କମିଟି ନିଜ ନିଜ ଅଞ୍ଚଳରେ ଗଣେଶ ପୂଜାକୁ ଅନ୍ୟଠାରୁ ଭିନ୍ନ କରିବା ପାଇଁ ଲାଗି ପଡ଼ିଥିବା ବେଳେ ଏ ନେଇ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିଛନ୍ତି । ତେବେ ଏ ସବୁ ମଧ୍ୟରେ ପୁନେର ଏକ ଗଣେଶ ପୂଜା କମିଟି କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ପୁନେରେ ଥିବା ଏକ ଗଣେଶ ପୂଜା କମିଟି ପ୍ରତିବର୍ଷ ଗଣେଶ ପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରୁଥିବା ବେଳେ ଚଳିତ ବର୍ଷ ଗଣେଶ ପୂଜା ଆୟୋଜନରେ ପୂଜା କମିଟି ପ୍ରତିବର୍ଷଠାରୁ ଟିକେ ଉଣା କରିଥିବା ଦେଖା ଯାଇଛି । ୫୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ନବଶକ୍ତି ମିତ୍ର ମଣ୍ଡଲ ପ୍ରତିବର୍ଷ ଗଣେଶ ମେଢ଼କୁ ଖୁବ୍‌ ବଡ଼ ଆକାରରେ କରୁଥିିବା ବେଳେ ଚଳିତ ବର୍ଷ ଏହାର ଆକାରକୁ କମ କରି ଦିଆଯିବା ସହ ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ବନ୍ଦ କରାଯାଇଛି । ଜଣେ ୨୨ବର୍ଷିୟ ଯୁବକର ଜୀବନ ବଞ୍ଚାଇବା ପାଇଁ କମିଟିର ସଦସ୍ୟ ଏଭଳି ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି ।

indiatimes.com

ସୂଚନା ମୁତାବକ,୨୨ବର୍ଷିୟ ଯୁବକ ସତିଶ ଜୋରୀ ହଠାତ୍‌ ତାଙ୍କ ଘରର ଚଟାଣରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର କଲୋନିର ଲୋକମାନେ ଦେଖିଥିଲେ । ଡ଼ାକ୍ତରଖାନା ନେବା ପରେ ପୀଡ଼ିତଙ୍କ ମାତା-ପିତା ନଥିବାରୁ ତାଙ୍କୁ ୪ଟି ବଡ଼ ବଡ଼ ଡ଼ାକ୍ତରଖାନା ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲା। ଶେଷରେ ଏକ ଘରୋଇ ଡ଼ାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯିବା ପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସର୍ଜରି କରିବା ପାଇଁ ଡ଼ାକ୍ତର କହିଥିଲେ । ନିଜର କେହି ନଥିବାରୁ ନବଶକ୍ତି ମିତ୍ର ମଣ୍ଡଲ ସର୍ଜରିର ସବୁ ଖର୍ଚ୍ଚ ଉଠାଇବା ପାଇଁ ନିଷ୍ପତ୍ତି ନେଇଥିଲା । ଯାହା ପରେ ରବିବାର ସତିଶଙ୍କ ସର୍ଜରି କରାଯାଇଥିଲା । ସର୍ଜରି ପରେ ସତିଶଙ୍କ ଅବସ୍ଥା ସ୍ଥିର ଥିବା ସହ କିଛି ଦିନ ତାଙ୍କୁ ଡ଼ାକ୍ତରଖାନାରେ ରଖାଯିବ ବୋଲି ଜଣାପଡ଼ିଛି । ତେବେ ପୁନେର ନବଶକ୍ତି ମିତ୍ର ମଣ୍ଡଲ କରିଥିବା କାମ ଏବେ ଏକ ଉଦାହରଣ ସୃଷ୍ଟି କରିବା ସହ ଚାରିଆଡ଼େ ଏହାକୁ ନେଇ ଲୋକମାନେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର