କର୍ଣ୍ଣାଟକ ମିଳିତ ସରକାରରେ ପୁଣି ଏକ ବଡ଼ ବିବାଦ

ବାଙ୍ଗାଲୁରୁ : କର୍ଣ୍ଣାଟକ ରାଜନୀତି ପାଇଁ ଗତ କିଛି ମାସ ବେଶ ନାଟକୀୟ ରହିଆସିଛି । ଏକ ଅତି ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ନିର୍ବାଚନ, ତାପରେ ସରକାର ଗଠନକୁ ନେଇ ବିଭିନ୍ନ କସରତ, ବଳ କଷାକଷି, ବିଧାୟକଙ୍କୁ ହୋଟେଲରେ ତାଲା ପକାଇ ରଖିବା ଆଦି ନାଟକ କୌଣସି ବଲିଉଡ ଫିଲ୍ମଠାରୁ କମ ନାଟକୀୟ ନଥିଲା । ତେବେ ବହୁ ଛକା ପଞ୍ଝା, ନାକଟବାଜି ପରେ ଏବେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମିିଳିତ ସରକାର ଏବେ ଶାସନ ଆରମ୍ଭ କରିଛି । କିନ୍ତୁ ଆପଣ ଯଦି ଭାବୁଛନ୍ତି ସବୁକିଛି ଠିକଠାକ ହୋଇଗଲା, ତବେ ଆପଣ ଭୁଲ କରୁଛନ୍ତି । କାରଣ କର୍ଣ୍ଣାଟକରେ ରାଜନୈତିକ ନାଟକ ଶେଷ ହୋଇନାହିଁ । ଏବେବି ସେଠାରେ ରାଜନୈତିକ ଅସନ୍ତୋଷ କୁହୁଳୁଛି ।

ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଦଳ ଜେଡିଏସରେ ସେଭଳି କିଛି ସମସ୍ୟା ନଥିଲେ ମଧ୍ୟ କଂଗ୍ରେସରେ ଏକ ନୂଆ ସମସ୍ୟା ଆରମ୍ଭ ହୋଇଛି । ରାଜ୍ୟ କଂଗ୍ରେସରେ ଏବେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଳ କଷାକଷି ଚାଲିଛି । ଏହି ଦୁଇ ଗୋଷ୍ଠୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଓ ତାଙ୍କ ଅନୁଗତ ଏବଂ ଅନ୍ୟ ଗୋଷ୍ଠୀଟି ହେଉଛି ନବ ନିଯୁକ୍ତ ଉପ-ମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର ଓ ତାଙ୍କ ଅନୁଗତ । ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗତ ୨୦୧୩ରୁ ବିବାଦ ଚାଲିଛି । ସିଦ୍ଧରାମାୟା ଅଭିଯୋଗ କରିଛନ୍ତି ପରମେଶ୍ୱରଙ୍କ ଯୋଗୁଁ ହିଁ ତାଙ୍କର ଅନୁଗତ ଅନେକ ବିଧାୟକ ମନ୍ତ୍ରୀ ହୋଇପାରିନାହାନ୍ତି । ଆହୁରି ଅନେକ ବିଧାୟକଙ୍କୁ ଅଣଦେଖା କରାଯାଉଛି । ଅନ୍ୟପକ୍ଷରେ ପରମେଶ୍ୱର ଅଭିଯୋଗ କରିଛନ୍ତି ଯେ ପ୍ରଥମ ଗୋଷ୍ଠୀଟି ଜାଣିଶୁଣି ତାଙ୍କୁ ସହଯୋଗ କରୁନାହାନ୍ତି ଓ ଶାସନରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । ଏପରି ଛକାପଞ୍ଝା ମଧ୍ୟରେ ମିଳିତ ସରକାର କେତେ ଦିନ ଚାଲୁଛି ତାହା ଦେଖିବା କଥା ।

ସମ୍ବନ୍ଧିତ ଖବର