ବିପର୍ଯ୍ୟୟ ପରିଚାଳନା ଓ ସିଭିଲ୍ ସୋସାଇଟି ଭୂମିକା ‌ସଂପର୍କରେ ଆଲୋଚନାଚକ୍ର

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରତିଷ୍ଠିତ ସଂସ୍ଥା ଓଡ଼ିଶା ଫୋରମ୍ ଦ୍ବାରା ଫନି ବାତ୍ୟା ପୃଷ୍ଠଭୂମିରେ ବିପର୍ଯ୍ୟୟ ପରିଚାଳନା ଓ ସିଭିଲ୍ ସୋସାଇଟିର ଭୂମିକା ସମ୍ପର୍କିତ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଫୋରମ୍‌ର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋକୁଳ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି, ବିଶେଷଜ୍ଞ ତଥା ନୀତି ନିର୍ଦ୍ଧାରଣକାରୀ ପ୍ରମୁଖ ଭାଗ ନେଇ ବିପର୍ଯ୍ୟୟ ପରିଚାଳନାରେ ସିଭିଲ୍ ସୋସାଇଟିର ଭୂମିକା ଉପରେ ଗୁରୁତ୍ବାରୋପ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସିଭିଲ୍ ସୋସାଇଟି କିଭଳି ଭୂମିକା ନିର୍ବାହ କରିପାରିବ ସେନେଇ ବକ୍ତାମାନେ ଆଲୋକପାତ କରିଥିଲେ। ଏହି ଅବସରରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓ ଏନଡିଆରଏଫ୍‌ର ମହାନିର୍ଦ୍ଦେଶକ ଏସଏନ୍ ପ୍ରଧାନଙ୍କୁ ଫନି ବାତ୍ୟାର ପ୍ରାକ୍ ସୂଚନା ତଥା ରିଲିଫ୍, ଥଇଥାନ କାର୍ଯ୍ୟରେ ପ୍ରମୁଖ ଭୂମିକା ନିଭାଇଥିବା ଯୋଗୁଁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଲୋଚନାଚକ୍ରରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ, କଳାଧନ ତଦନ୍ତ କରୁଥିବା ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତ, ଅମରେନ୍ଦ୍ର ଖଟୁଆ, ଡ. ନିବେଦିତା ଗିରି ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ। ଓଡ଼ିଶା ଫୋରମ୍ ପକ୍ଷରୁ ସମ୍ପାଦକ ପ୍ରଦୀପ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର