ଏସ୍ୟାଟ୍‌ ଧ୍ୱଂସାବଶେଷ ମହାକାଶ ପାଇଁ ବିପଦ: ନାସା

ୱାସିଂଟନ: ଭାରତ ଦ୍ବାରା ପରୀକ୍ଷା କରାଯାଇଥିବା ଉପଗ୍ରହ ବିଧ୍ବଂସୀ ଏ-ସ୍ୟାଟ କ୍ଷେପଣାସ୍ତ୍ରର ଧ୍ବଂସାବଶେଷ ଅତି ଭୟଙ୍କର I ଏ-ସ୍ୟାଟ ପରୀକ୍ଷଣ ମହାକାଶରେ ୪୦୦ଟି ଆବର୍ଜନା ଖଣ୍ଡ ସୃଷ୍ଟି କରିଛି ଯାହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ମହାକାଶଚାରୀଙ୍କ ପାଇଁ ବିପଦ ବୋଲି ଆମେରିକା ଗବେଷଣା କେନ୍ଦ୍ର ନାସା ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି I
ଭାରତ ଉପଗ୍ରହ ବିଧ୍ବଂସୀ ଏ-ସ୍ୟାଟ କ୍ଷେପଣାସ୍ତ୍ରର ପରୀକ୍ଷା କରିବାର ସପ୍ତାହେ ନପୂରୁଣୁ ନାସା ଏଭଳି ଆଶଙ୍କା ପ୍ରକଟ କରିଛି I ନାସା ମୁଖ୍ୟ ଜିମ୍‌ ବ୍ରିଡେନଷ୍ଟାଇନ୍‌ କହିଛନ୍ତି ଯେ ଏ-ସ୍ୟାଟ ପରୀକ୍ଷଣ ପରେ ଆକାଶରେ ଯେଉଁ ଅବର୍ଜନା ସୃଷ୍ଟି ହୋଇଛି ତାହାର ଛୋଟଛୋଟ ଖଣ୍ଡକୁ ଟ୍ରାକ୍‌ କରାଯାଇପାରୁନାହିଁ I କିନ୍ତୁ ବଡ଼ବଡ଼ ଆବର୍ଜନା ଖଣ୍ଡ ଯାହା ୧୦ସିଏମ୍‌ଠୁ ବଡ ସେଭଳି ୬୦ଟି ଖଣ୍ଡକୁ ଦେଖାଯାଇଛି I ସେଥିମଧ୍ୟରୁ ୨୪ଟି ଆବର୍ଜନା ଖଣ୍ଡ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ପାଖାପାଖି ଲକ୍ଷ କରାଯାଇଛି ଯାହା ମହାକାଶଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବ୍ରିଡେନଷ୍ଟାଇନ୍‌। ଏଭଳି ପରୀକ୍ଷଣ ଭବିଷ୍ୟତରେ ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିବ। ମହାକାଶରେ ଗବେଷଣାକାରୀଙ୍କ ପାଇଁ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ I ଏଣୁ ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ନାସା ମୁଖ୍ୟ I
ସୂଚନାଯୋଗ୍ୟ ଯେ ଆମେରିକୀୟ ସେନା ଏ ପର୍ଯ୍ୟନ୍ତ ୧୦ସିଏମ୍‌ଠୁ ବଡ ପ୍ରାୟ ୨୩,୦୦୦ ଆବର୍ଜନା ଖଣ୍ଡକୁ ଆକାଶରେ ଠାବ କରିଛି I ସେଥିମଧ୍ୟରୁ ୨୦୦୭ରେ ଚୀନ କରିଥିବା ଏ-ସ୍ୟାଟ ପରୀକ୍ଷଣରୁ ହିଁ ୩୦୦୦ ଖଣ୍ଡ ସୃଷ୍ଟି ହୋଇଥିଲା I ଏବେ ଭାରତର ଏ-ସ୍ୟାଟ ପରୀକ୍ଷଣ ଯାଗୁଁ ସୃଷ୍ଟି ହୋଇଥିବା ଆବର୍ଜନା ଖଣ୍ଡ ମହାକାଶରେ ଘୂରିବୁଲୁଥିବା ମହାକାଶଯାନ ସହ ଧକ୍କା ହେବାର ଆଶଙ୍କା କରାଯାଉଛି I
ଅନ୍ୟପକ୍ଷରେ ଇସ୍ରୋ ପକ୍ଷରୁ ଏଭଳି ଅାଶଙ୍କାକୁ ଅସ୍ବୀକାର କରାଯାଇଛି। ଇସ୍ରୋ ଅଧ୍ୟକ୍ଷଙ୍କ ପରାମର୍ଶଦ‌ାତା ତପନ ମିଶ୍ର କହିଛନ୍ତି ଯେ ମହାକାଶରେ ଏସ୍ୟାଟ୍ ଧ୍ବଂଶାବଶେଷ କୌଣସି ବିପଦ ସୃଷ୍ଟି କରିବ ନାହିଁ। ୬ ମାସ ମଧ୍ୟରେ ଏହା ପୋଡ଼ିଯିବ। ସେ କହିଛନ୍ତି ଭାରତର ଏଭଳି ପରୀକ୍ଷାରେ ଇର୍ଶାନ୍ବିତ ହୋଇ ଏଭଳି ଅପପ୍ରଚାର କରାଯାଉଛି।

ସମ୍ବନ୍ଧିତ ଖବର