ବଢ଼ିଲା ଆଧାର ସୁରକ୍ଷା

ଆଧାରର କାମ କରିବ ୧୬ ସଂଖ୍ୟା ବିଶିଷ୍ଟ ଭର୍ଚୁଆଲ୍‌ ଆଇଡି

କେଓ୍ଵାଇସି ପାଇଁ ଯେତିକି ତଥ୍ୟ ଦରକାର ସେତିକି ମିଳିବ

ନୂଆଦିଲ୍ଲୀ : ଆଧାର ତଥ୍ୟ ଚୋରିକୁ ନେଇ ସୃଷ୍ଟି ହୋଇଥିବା ସଙ୍କଟର ମୁକାବିଲା ଲାଗି ଆଜି କେତେକ ପଦକ୍ଷେପ ଘୋଷଣା କରାଯାଇଛି। ଆଧାର ତଥ୍ୟ ଯେପରି ସଂପୂର୍ଣ୍ଣ ରୂପେ ସୁରକ୍ଷିତ ରହିପାରିବ ସେଥିପାଇଁ ଦ୍ୱିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ‘ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ମୋବାଇଲ ସିମ୍‌ ଭେରିଫିକେସନ ସମେତ ଅନ୍ୟାନ୍ୟ ଆବଶ୍ୟକ ସେବା ଲାଗି ଆଉ ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ଏହା ବଦଳରେ ଭର୍ଚୁଆଲ୍‌ ଆଇଡି ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆ ବ୍ୟବସ୍ଥାରେ ଆଧାର ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ରହିପାରିବ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି।

ୟୁଆଇଡିଏଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭର୍ଚୁଆଲ୍‌ ଆଇଡି ହେଉଛି ଏକ ୧୬ ସଂଖ୍ୟା ବିଶିଷ୍ଟ ନମ୍ବର। ଲୋକମାନେ ଆଧାର ବଦଳରେ ଭର୍ଚୁଆଲ ଆଇଡି ଦେଇପାରିବେ। ଏଥିରେ କେବଳ ବ୍ୟକ୍ତିର ନାମ, ଠିକଣା ଓ ଫଟୋ ରହିବ। ଆଗାମୀ ଦିନରେ ଲୋକମାନଙ୍କୁ ଆଉ ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ଜଣେ ବ୍ୟକ୍ତି ଯେତେ ସଂଖ୍ୟକ ଭର୍ଚୁଆଲ୍‌ ଆଇଡି ଚାହିଁବେ ସୃଷ୍ଟି କରିପାରିବେ। ପ୍ରତି ଥର ନୂଆ ଆଇଡି ସୃଷ୍ଟି କଲେ ପୁରୁଣା ଆଇଡି ଅଚଳ ହୋଇଯିବ। ଏହି ଆଇଡି କମ୍ପ୍ୟୁଟର ଜରିଆରେ ତତ୍କାଳ ସୃଷ୍ଟି କରାଯାଇପାରିବ। ଚଳିତ ବର୍ଷ ମାର୍ଚ ୧ ପରଠାରୁ ଭର୍ଚୁଆଲ୍‌ ଆଇଡି ଗ୍ରହଣ କରାଯିବ। ଜୁନ୍‌ ୧ ପରଠାରୁ ସମସ୍ତ ଏଜେନ୍ସି ପାଇଁ ଏହି ଆଇଡି ଗ୍ରହଣ କରିବା ବାଧ୍ୟତାମୂଳକ ହେବ। ଯେଉଁ ଏଜେନ୍ସିଗୁଡ଼ିକ ନୂତନ ବ୍ୟବସ୍ଥା ଗ୍ରହଣ ନକରିବେ ସେମାନଙ୍କୁ ଆର୍ଥିକ ସ୍ତରରେ ପ୍ରୋତ୍ସହନ ମିଳିବ ନାହିଁ।

ଲୋକମାନେ ୟୁଆଇଡିଏଆଇ ଓ୍ଵବସାଇଟ୍‌ରେ ପ୍ରବେଶ କରି ଭର୍ଚୁଆଲ୍‌ ଆଇଡି ସୃଷ୍ଟି କରିପାରିବେ। ତାହା ନିର୍ଦିଷ୍ଟ ସମୟ ସୀମା ପର୍ଯ୍ୟନ୍ତ କାମ କରିବ। କୌଣସି ଏଜେନ୍‌ସି ଆଧାର ଥିବା ଲୋକମାନଙ୍କ ପାଇଁ ଭର୍ଚୁଆଲ୍‌ ଆଇଡି ସୃଷ୍ଟି କରିବାକୁ ବାରଣ କରାଯାଇଛି। ଭର୍ଚୁଆଲ୍‌ ଆଇଡିକୁ ସାଧାରଣ ନାଗରିକମାନେ ବ୍ୟବହାର କରିବେ।

ସେହିଭଳି ସୀମିତ କେଓ୍ଵାଇସି ସୁବିଧା ବିଭିନ୍ନ ପ୍ରକାର ସଂସ୍ଥା /ଏଜେନ୍ସି ପାଇଁ ଲାଗୁ କରାଯାଇଛି। ସୀମିତ କେଓ୍ଵାଇସିରେ ସଂସ୍ଥାଗୁଡ଼ିକୁ ଆଧାର କର୍ତୃପକ୍ଷ କେବଳ ସୀମିତ ତଥ୍ୟ ପ୍ରଦାନ କରିବେ। କେଓ୍ଵାଇସି ନିୟମକୁ ଏହି ସଂସ୍ଥାଗୁଡ଼ିକ ପକ୍ଷରୁ ନିଜ ଆଡୁ ପାଳନ କରିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଦିନକ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଗବେଷଣା ରିପୋର୍ଟରେ ଆଧାରର ଗୋପନୀୟତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଥିଲା। ଆଧାର ତଥ୍ୟ ବର୍ତ୍ତମାନ ଯେଉଁଭଳି ଭାବେ ଉପଲବ୍ଧ ହେଉଛି ତାହା ସାଇବର୍‌ ଅପରାଧୀଙ୍କ ପାଇଁ ଏକ ସହଜ ଟାର୍ଗେଟ୍‌ ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଆଧାର ତଥ୍ୟ ଚୋରିକୁ ରୋକିବା ସବୁଠୁ ବଡ଼ ଆହ୍ଵାନ। ଲାଭଖୋର ବ୍ୟବସାୟୀମାନେ ଆଧାର ତଥ୍ୟ ହାସଲ କରିବାକୁ ସବୁ ପ୍ରକାର ପ୍ରୟାସ କରିବେ। ଆଜିର ଦୁନିଆରେ ବ୍ୟବସାୟ ଜଗତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିିତା ହେଉଛି ଏବଂ ଏଭଳି ପରିସ୍ଥିତିରେ ନୈତିକତା ସୀମା ଅତି ସହଜରେ ଉଲ୍ଲଘଂନ ହେଉଛି। ଏହି ରିପୋର୍ଟ ପ୍ରକାଶ ପାଇବାର ଦିନକ ପରେ ୟୁଆଇଡିଏଆଇ କର୍ତୃପକ୍ଷ ଆଧାର ସୁରକ୍ଷାକୁ ବଢ଼ାଇ ଦେଇଛନ୍ତି।

ଆଧାରରେ ଥିବା ତଥ୍ୟ ଗୋନୀୟତାର ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ରହିଛି। ଅନେକ ସମୟରେ ଆଧାର ତଥ୍ୟ ଲିକ୍‌ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହି ଦୁଇ ପ୍ରକାର ସୁରକ୍ଷା ବ୍ୟବସ୍ଥା ଆଧାର ତଥ୍ୟକୁ ଅଧିକ ସୁରକ୍ଷିତ କରିପାରିବ ବୋଲି କୁହାଯାଉଛି।

ବାସହୀନ ବ୍ୟକ୍ତି ଆଧାର କାର୍ଡ ପାଇବେ କେମିତି?

ନୂଆଦିଲ୍ଲୀ : ଜାତୀୟ ପରିଚୟପତ୍ର ଆଧାରକୁ ନେଇ ସୁପ୍ରିମ୍‌ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ଯଦି ଜଣେ ବାସହୀନ ବ୍ୟକ୍ତିଙ୍କର ଆଧାର କାର୍ଡ ନାହିଁ, ସରକାରଙ୍କ ପାଇଁ ସେହି ବ୍ୟକ୍ତିଙ୍କ ଅସ୍ତିତ୍ୱ ଅଛି କି ନାହିଁ? ସେହି ବ୍ୟକ୍ତିଙ୍କୁ ଆଧାର କାର୍ଡ କିଭଳି ମିଳିବ? ଉତ୍ତର ପ୍ରଦେଶରେ ବାସହୀନଙ୍କ ପାଇଁ ଥିବା ରାତ୍ରି ଆଶ୍ରୟସ୍ଥଳ ବାବଦରେ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମ କୋର୍ଟ ଏହି ପ୍ରଶ୍ନ କରିଛନ୍ତି। ଜଣେ ବାସହୀନ ବ୍ୟକ୍ତି ଆଧାର କାର୍ଡ କିଭଳି ପାଇପାରିବେ ସେ ନେଇ ଆଜି ପର୍ଯ୍ୟନ୍ତ ସରକାର କିଛି ବି ସ୍ପଷ୍ଟ କରିନଥିବାରୁ ସରକାରୀ ବ୍ୟବସ୍ଥା ଭିତରେ ଉକ୍ତ ବ୍ୟକ୍ତିଙ୍କ ଅସ୍ତିତ୍ୱ କ’ଣ ତାହାର ଉତ୍ତର ଦେବାକୁ କୋର୍ଟ କହିଛନ୍ତି। ଭୋଟର୍‌ ପରିଚୟପତ୍ର ପାଇଁ ଘର ଠିକଣା ଆବଶ୍ୟକ ହେଉଛି, ଯେଉଁମାନଙ୍କର ଘର ନାହିଁ ସେମାନେ ଏକ ସ୍ଥାୟୀ ଠିକଣା କେଉଁଠାରୁ ପାଇବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହା ସହିତ ଦେଶରେ କେତେ ଜଣଙ୍କୁ ଆଧାର କାର୍ଡ ଦିଆଯାଇଛି ସେ ସଂପର୍କରେ ମଧ୍ୟ ତଥ୍ୟ ରଖିବାକୁ କୋର୍ଟ କହିଛନ୍ତି।

ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷ ରଖି କହିଛନ୍ତି ଯେ ୯୦ କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ପହଞ୍ଚି ସାରିଛି ଏବଂ ଏହାକୁ ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍‌ ଫୋନ୍‌ ଏବଂ ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକ ସହ ସଂଯୋଗ କରିବାକୁ ସରକାର ବାଧ୍ୟ କରିଛନ୍ତି। ଏଭଳି ସ୍ଥିତିରେ ମୌଳିକ ପ୍ରଶ୍ନଗୁଡ଼ିକୁ ନେଇ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଲେ ହିଁ ଜନସାଧାରଣ ହନ୍ତସନ୍ତ ହେବାରୁ ରକ୍ଷା ପାଇବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର