ଆଧାର ଜଟିଳତା: ଝାଡ଼ଖଣ୍ଡରେ ପୁଣି ଏକ ଅନାହାର ମୃତ୍ୟୁ

ରାଞ୍ଚୀ: ଗରିବ ଅସହାୟଙ୍କ ନିମନ୍ତେ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିଲେ ବି ଏହାର ସଠିକ୍‌ ରୂପାୟନ ହୋଇପାରୁନି। ଫଳରେ ଅନେକ ଅସହାୟ ଅକାଳରେ ଆଖି ବୁଜି ଦେଉଛନ୍ତି। ଝାଡ଼ଖଣ୍ଡର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୩ଟି ଅନାହାର ମୃତ୍ୟୁ ହୋଇଛି। ଆଧାର ସଂଯୋଜିତ ବାୟୋମେଟ୍ରିକ୍‌ ପଦ୍ଧତି କାର୍ଯ୍ୟ ନକରିବାରୁ ଝାଡ଼ଖଣ୍ଡର ଦେଓଗଡ଼ ଜିଲ୍ଲାରେ ୬୨ ବର୍ଷୀୟ ରୁପଲଲ୍‌ ମାରାଣ୍ଡିଙ୍କର ଅନାହାର ମୃତ୍ୟୁ ହୋଇଛି। ରୁପଲଲ୍‌ଙ୍କୁ ସରକାରୀ ଯୋଜନା ଅନଯାୟୀ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ମିଳିନଥିଲା ଫଳରେ ଖାଦ୍ୟାଭାବ ହେତୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମାରାଣ୍ଡି ଭଗବାନପୁର ଗ୍ରାମରେ ନିଜ ଝିଅ ପାଖରେ ରହୁଥିଲେ। ୩ ମାସ ପୂର୍ବେ ମାରାଣ୍ଡିଙ୍କ ଏକମାତ୍ର ରୋଜଗାରିଆ ନାତିର ମୃତ୍ୟୁପରେ ତାଙ୍କ ପରିବାର ସରକାରଙ୍କ ଦ୍ୱାରା ପ୍ରଦତ୍ତ ଖାଦ୍ୟ ସାମଗ୍ରୀ ଉପରେ ନିର୍ଭରଶୀଳ ଥିଲେ।

କିନ୍ତୁ ଗତ ଦୁଇମାସ ହେବ ଆଧାର ସଂଯୋଜିତ ବାୟୋମେଟ୍ରିକ୍‌ ପଦ୍ଧତି ମାରାଣ୍ଡିଙ୍କ ଟିପ ଚିହ୍ନ ନନେବା ଫଳରେ ସେମାନେ ସରକାରୀ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ମାରାଣ୍ଡିଙ୍କ ଝିଅ ମାନୋଦୀ କହିଛନ୍ତି। ମାନୋଦୀ ଏବଂ ତାଙ୍କ ବୋହୂ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି କିନ୍ତୁ ଗତ ସପ୍ତାହରେ ପ୍ରବଳ ବର୍ଷା ହେତୁ ସେମାନଙ୍କୁ କାମ ମିଳିନଥିଲା। ଫଳରେ ମାରାଣ୍ଡିଙ୍କ ସହ ପରିବାରର ଅନ୍ୟ ଦୁଇ ବୟସ୍କ ସଦସ୍ୟଙ୍କୁ ମୁଢି ଖାଇ ରହିବାକୁ ପଡ଼ିଥିଲା।

ଅନ୍ୟ ପକ୍ଷରେ ବିଡିଓ (ବ୍ଲକ୍‌ ଉନ୍ନୟନ ଅଧିକାରୀ) ଅଶୋକ କୁମାରଙ୍କ କହିବା ଅନୁଯାୟୀ ଏହା ମାରାଣ୍ଡିଙ୍କର ସ୍ୱାଭାବିକ ମୃତ୍ୟୁ ଏବଂ ସେମାନେ ସପ୍ଟେମ୍ବର ସୁଦ୍ଧା ୧୫ କିଲୋ ସାମଗ୍ରୀ ନେଇଥିବା ବିଡିଓ କହିଛନ୍ତି କିନ୍ତୁ ଏହା ରାଶନ୍‌ କାର୍ଡରେ ଅପଡେଟ୍‌ ହୋଇନାହିଁ। ମାରାଣ୍ଡିଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ଦେଖାଇ ବିଡିଓ ୫୦ କିଲୋ ଚାଉଳ ଏବଂ ୧୦,୦୦୦ ଟଙ୍କା ଦେଇଛନ୍ତି। ଏହା ପୂର୍ବରୁ ଝାଡ଼ଖଣ୍ଡର ସିମଦେଗା ଜିଲ୍ଲାରେ ମଧ୍ୟ ଜଣେ ୧୧ ବର୍ଷୀୟା ବାଳିକାର ମଧ୍ୟ ଏହି ଆଧାର ଜଟିଳତା ହେତୁ ଅନାହାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଜଣେ ରିକ୍ସା ଚାଳକ ବୈଦ୍ୟନାଥ ରବିଦାସଙ୍କର ରାଶନ କାର୍ଡ ନଥିବା ହେତୁ ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର