ବାଙ୍ଗାଲୁରୁ ହେବ ଦେଶର ପ୍ରଥମ ସମ୍ପୂର୍ଣ୍ଣ ‘ଆଧାର’କ୍ଷମ ବିମାନବନ୍ଦର

ବାଙ୍ଗାଲୋର: ବାଙ୍ଗାଲୋରସ୍ଥିତ କେମ୍ପୋଗଉଡା ବିମାନ ବନ୍ଦର(କେଆଇଏ) ଦେଶର ପ୍ରଥମ ପୂର୍ଣ୍ଣ ଆଧାରକ୍ଷମ ବିମାନବନ୍ଦର ହେବାକୁ ଯାଉଛି । ଏଠାରେ ସମସ୍ତ କାର୍ଯ୍ୟ ବାୟୋମ୍ୟାଟ୍ରିକ୍‌ ବ୍ୟବସ୍ଥା ଅନୁଯାୟୀ ସମ୍ପନ୍ନ କରାଯିବ ବୋଲି ଯୋଜନା କରୁଛନ୍ତି ବନ୍ଦର କର୍ତ୍ତୃପକ୍ଷ ।

ବାଙ୍ଗାଲୋର ଆନ୍ତର୍ଜାତୀୟ ଏୟାରପୋର୍ଟ ଲିଃ.(ବିଆଇଏଲ୍‌) ୨ ମାସର ପାଇଲଟ ପ୍ରକଳ୍ପ ମଧ୍ୟମରେ ଏହି ଯୋଜନାକୁ ମଞ୍ଜୁର କରିଛି । ଟିକେଟ, ଆଇଡି କାର୍ଡ ଯାଞ୍ଚ ଭଳି କାର୍ଯ୍ୟକୁ କାଗଜ ବିହୀନ ଭାବେ ସମ୍ପନ୍ନ କରିବା ଲାଗି ଯୋଜନା କରାଯାଉଛି । ବିଆଇଏଲ୍‌ ନୂଆ ଆଧାର ପ୍ରଣାଳୀକୁ କାର୍ଯ୍ୟକ୍ଷମ କରିବା ସହ ସମସ୍ତ କାର୍ଯ୍ୟର ଡିଜିଟାଲାଇଜେସନ୍‌ କରିବା ପାଇଁ ୩୨୫ ଦିନ ସମୟସୀମା ଧାର୍ଯ୍ୟ କରଯାଇଛି । ୨୦୧୮ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡିଛି ।

ବାଙ୍ଗାଲୋରର କେଆଇଏ ବିମାନ ବନ୍ଦରକୁ ସ୍ମାର୍ଟ ବିମାନ ବନ୍ଦରରେ ପରିବର୍ତ୍ତନ କରିବା ଲାଗି ଏଭଳି ନୂଆ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଆଧାର ମାଧ୍ୟମରେ ଯାତ୍ରୀଙ୍କ ପରିଚୟ, ସୁରକ୍ଷା ବାବଦରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପନ୍ନ କରାଯାଇ ପାରିବ ବୋଲି ଜଣାପଡ଼ିିଛି ।

ବିଆଇଏଲ୍‌ର କାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ହରି ମାରାର କହିଛନ୍ତି ଯେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ଦିଗରେ ଏଭଳି ପଦକ୍ଷେପ ନିଶ୍ଚିତ ରୂପେ ସହାୟକ ହେବ ବୋଲି କୁହାଯାଉଛି । ଏହା ପ୍ରତ୍ୟେକ ଯାତ୍ରୀଙ୍କୁ ଏକ ତ୍ୱରିତ ଯାତ୍ରା ଅନୁଭବ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

କିଛିଦିନ ତଳେ ପ୍ରଚାର ହୋଇଥିଲା ଯେ, ସରକାର ଦେଶର ବିମାନବନ୍ଦରଗୁଡିକୁ ଆଧାର ଡାଟାବେସ୍‌ ମାଧ୍ୟମରେ ସଂଲଗ୍ନ କରିବାକୁ ଯାଉଛନ୍ତି । ଯାହାକୁ ଆଧାର କରି ବାୟୋମ୍ୟାଟ୍ରିକ୍‌ ଯନ୍ତ୍ର ମାଧ୍ୟମରେ ପାସ୍‌ପୋର୍ଟ ଯାଞ୍ଚ କରାଯାଇ ପାରିବ । ଏହି ପଦ୍ଧତି ଅଧିକ ସୁରକ୍ଷିତ ହେବ ବୋଲି ମଧ୍ୟ କୁହାଯାଉଛି । ଏବିଏସନ୍‌(ଉଡାଣ) ସଚିବ ଆର.ଏଚ୍‌.ଚୌବେ କହିଛନ୍ତି ଯେ, ଏହି କାର୍ଯ୍ୟ ଖୁବ୍‌ କମ୍‌ ଦିନ ମଧ୍ୟରେ ସମ୍ପନ୍ନ ହେବ ।

ସମ୍ବନ୍ଧିତ ଖବର