ଆଧାର ପାଲଟିଲା ଆଶୀର୍ବାଦ; ୧୬ ନିଖୋଜ ମାନସିକ ଅନଗ୍ରସର ବାଳକଙ୍କୁ ଆଉଥରେ ନିଜ ପରିବାର ନିକଟକୁ ଫେରିବାରେ ସାହାଯ୍ୟ କଲା ଆଧାର
ବେଙ୍ଗାଲୁରୁ: ଆଧାରକୁ କେନ୍ଦ୍ର କରି ଏବେ ଏବେ ଦେଶରେ ବହୁ ବାଦ ବିବାଦ, ତର୍କ ବିତର୍କ ଲାଗି ରହିଥିବା ବେଳେ ନିଖୋଜ ଥିବା ୧୬ ଜଣ ମାନସିକ ଅନଗ୍ରସର ବାଳକଙ୍କୁ ସେମାନଙ୍କ ପରିବାର ନିକଟକୁ ଆଉଥରେ ଫେରି ଯିବାରେ ସାହାଯ୍ୟ କରିଛି ଆଧାର।
Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ୩ ମାସ ତଳେ ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରୁ ୧୭ ବର୍ଷ ବୟସ୍କ ଅରୁଣ ତିଓ୍ଵାରୀ ନିଖୋଜ ହୋଇ ଯାଇଥିଲେ। ଅରୁଣ ମାନସିକ ସ୍ତରରେ ଦିବ୍ୟାଙ୍ଗ ଥିଲେ। ପରେ ଅରୁଣଙ୍କୁ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଗତ ୧୧ ତାରିଖରେ ବେଙ୍ଗଲୁରୁର ଯଶଓ୍ଵନ୍ତପୁର ରେଳ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ଠାବ କରିବା ସହ ସେଠାକାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଅରୁଣ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସଂପୃକ୍ତ ସ୍ୱେଚ୍ଛାସେବୀ ସଂସ୍ଥା ଅରୁଣର ପିତାମାତାଙ୍କୁ ଖୋଜିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ। ପରେ ଅରୁଣର ଟିପ ଚିହ୍ନ ସହ ଆଖିଡ଼ୋଳାରେ ସ୍କାନ ନେଇ ଯେତେବେଳେ ଆଧାର େଓ୍ଵବ୍ ସାଇଟ୍ରେ ଖୋଜାଗଲା, ସେତେବେଳେ ଅରୁଣ ଭାରତ ପ୍ରସାଦ ତିଓ୍ଵାରୀଙ୍କ ପୁତ୍ର ଥିବା ଜଣା ପଡ଼ିଥିଲା। ପରେ ଅରୁଣଙ୍କୁ ଏବେ ତାଙ୍କ ପରିବାର ବର୍ଗଙ୍କ ହାତରେ ଦିଆଯାଇଛି।
ତେବେ, କେବଳ ମାତ୍ର ଅରୁଣ ନୁହନ୍ତି ସଂପୃକ୍ତ ସ୍ୱେଚ୍ଛାସେବୀ ସଂସ୍ଥା ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରୁ ଉଦ୍ଧାର କରିଥିବା ଅରୁଣଙ୍କ ପରି ଅନ୍ୟ ୧୫ ଜଣ ମାନସିକ ଅନଗ୍ରସର ବାଳକଙ୍କୁ ମଧ୍ୟ ଆଧାରର ସହାୟତା ନେଇ ସେମାନଙ୍କ ପରିବାର ବର୍ଗଙ୍କ ହାତରେ ଫେରାଇ ଦେବାରେ ସମର୍ଥ ହୋଇଥିବା କହିଛି।