ଆଧାର ରାୟ:ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ଭିନ୍ନ ମତ:ଆଧାର ଅସାମ୍ବିଧାନିକ

ଅର୍ଥ ବିଲ୍ ଭାବେ ଗୃହୀତ ହୋଇଥିଲା : ରାଜ୍ୟମାନଙ୍କର ମତାମତ ନିଆଯାଇନଥିଲା

0 111

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସମ୍ବିଧାନ ପୀଠ ଆଧାରକୁ ବୈଧ ବୋଲି ରାୟ ଦେଇଛନ୍ତି। ‌େତବେ ପ୍ରଧାନ ବିଚାରପତିଙ୍କ ସମେତ ୪ ଜଣ ବିଚାରପତି ଏହା ସପକ୍ଷରେ ମତ ଦେଇଥିବା ବେଳେ ଖଣ୍ଡପୀଠରେ ଥିବା ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କିନ୍ତୁ ଭିନ୍ନ ମତପୋଷଣ କରିଛନ୍ତି। ‌େସ ଆଧାରକୁ ଅସାମ୍ବିଧାନିକ ବୋଲି ବିବେଚନା କରିଛନ୍ତି।
ନିଜର ବ୍ୟକ୍ତିଗତ ରାୟରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ‌େଯ ଆଧାର ବିଲ୍‌କୁ ବେଆଇନ ଭାବେ ଅର୍ଥ ବିଲ୍ ଆଖ୍ୟା ଦିଆଯାଇଥିଲା। ଫଳରେ ରାଜ୍ୟସଭାର ମଂଜୁରିକୁ ଏହାଦ୍ବାରା ଏଡ଼ାଇ ଦିଆଯାଇଥିଲା। ଏହାପରେ ଏହାକୁ ଆଇନର ରୂପ ଦିଆଯାଇଥିଲା। ଆଧାରକୁ ଅର୍ଥ ବିଲ୍ ଭାବେ ମଂଜୁର କରାଇବା ଅର୍ଥ ସମ୍ବିଧାନକୁ ଧୋକା ଦେବା ସହ ସମାନ ବୋଲି ସେ ଦର୍ଶାଇଛନ୍ତି। ଆଧାରକୁ କୌଣସି ରୂପରେ ଅର୍ଥ ବିଲ୍ ଭାବେ ବିବେଚନା କରାଯାଇ ପାରିବ ନାହିଁ। ଅର୍ଥ ବିଲ୍‌ର କୌଣସି ବୈଶିଷ୍ଟ୍ୟ ସହ ଏହା ଆଦୌ ମେଳ ଖାଉନାହିଁ। ତେଣୁ ଜୋରଜବରଦସ୍ତ ଏହାକୁ ଅର୍ଥ ବିଲ୍ ଭାବେ ସଂସଦରେ ମଂଜୁରି କରାଇବା ଆଦୌ ଉଚିତ ନୁହେଁ। ରାଜ୍ୟସଭା ସମ୍ବିଧାନର ଅଂଶବି‌େଶଷ ହୋଇଥିବା ବେଳେ ଏହାର କ୍ଷମତାକୁ ସଂପୂର୍ଣ୍ଣ ଅଣଦେଖା କରାଯିବା ଅନୁଚିତ। କିନ୍ତୁ ଆଧାର କ୍ଷେତ୍ରରେ ଏହା କରାଯାଇଛି। ଏହା ସହିତ ରାଜ୍ୟମାନଙ୍କର ମତାମତ ମଧ୍ୟ ନିଆଯାଇନାହିଁ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଯୁକ୍ତି ବାଢ଼ିଛନ୍ତି।
ଲୋକଙ୍କ ଆଧାର ତଥ୍ୟର ସୁରକ୍ଷା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆଧାରରେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ଭଳି ଠୋସ ବ୍ୟବସ୍ଥା ନାହିଁ। ଫଳରେ ଏହାର ଦୁରୁପଯୋଗ ହେବାର ଆଶଙ୍କା ରହିଛି। ତା’ଛଡ଼ା ଠୋସ ନିୟାମକ ଅଣାଯାଇ ନଥିବାରୁ ଆଧାର ଆଇନର କୌଣସି ମତଲବ ରହିବ ନାହିଁ। ଏହାବ୍ୟତୀତ ଲୋକଙ୍କ ଆୟକର ରିଟର୍ଣ୍ଣ ଏବଂ ପାନ୍ ସହିତ ଆଧାରକୁ ସଂଯୋଗ କରାଯିବା ଉପରେ ମଧ୍ୟ ‌େସ ଭିନ୍ନ ମତପୋଷଣ କରିଛନ୍ତି। ପାନ୍ ଓ ଆୟକର ରିଟର୍ଣ୍ଣ ପାଇଁ ଏହାକୁ ବାଧ୍ୟତାମୂଳକ କରାଯିବା ଅନୁଚିତ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି।
ଅନ୍ୟପକ୍ଷ‌େର ଆଧାର ବିଲ୍‌କୁ ଏକ ଅର୍ଥ ବିଲ୍‌ ଭା‌େବ ଲୋକସଭାରେ ମଂଜୁରି ଦିଆଯାଇଥିବାରୁ ଏହ‌ା ବିରୋଧରେ କଂଗ୍ରେସ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଆଜି ନିଷ୍ପତ୍ତି ନେଇଛି। କଂଗ୍ରେସ ନେତା କପିଲ ସିବଲ କହିଛନ୍ତି, ଆଧାରକୁ କୌଣସିମତେ ଏକ ଅର୍ଥ ବିଲ୍ ବିବେଚନା କରାଯାଇ ପାରିବ ନାହିଁ। କିନ୍ତୁ ଏହାକୁ ସରକାର ଅର୍ଥ ବିଲ୍ ଭାବେ ଲୋକସଭାରେ ମଂଜୁର କରାଇଛନ୍ତି। ସୁପ୍ରିମ୍ କୋର୍ଟ ମଧ୍ୟ ଏହାକୁ ଗ୍ରହଣ କରି ଆଧାରକୁ ସା‌ମ୍ବିଧାନିକ ବୈଧ ବୋଲି ରାୟ ଦେଇଛନ୍ତି। ରାଜ୍ୟସଭାରେ ଆଧାର ବାବଦରେ ଯେଉଁ ସଂଶୋଧନ ପାଇଁ ସୁପାରିସ ଦିଆଯାଇଥିଲା, ତାହାକୁ ଅଣଦେଖା କରି ସରକାର ଏହାକୁ ଅର୍ଥ ବିଲ୍ ଭାବେ ଆଗତ କରିବା ଉଚିତ ନୁହେଁ। ତେଣୁ ଆମେ ସୁପ୍ରିମ୍ କୋର୍ଟଙ୍କ ରାୟକୁ ଚାଲେଂଜ କରିବୁ ବୋଲି ସିବଲ କହିଛନ୍ତି। ସିବଲ କହିଛନ୍ତି, ସରକାର ଯଦି ଆଧାର ଆଇନରେ ସଂଶୋଧନ ପାଇଁ ଏହାକୁ ରାଜ୍ୟସଭାରେ ଆଗତ ନକରନ୍ତି, ତେବେ ଆମେ ନିଶ୍ଚିତ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହେବୁ।
ଘଟଣାକ୍ରମ
୨୦୧୬, ମାର୍ଚ୍ଚ ୩: ଲୋକସଭାରେ ଆଧାର ବିଲ୍ ଆଗତ; ପରେ ଅର୍ଥ ବିଲ୍ ଭାବେ ଆଗତ
୨୦୧୭ ମେ: ଅର୍ଥ ବିଲ୍ ଭାବେ ଆଗତ ନିଷ୍ପତ୍ତିକୁ ସୁପ୍ରିମ୍‌େକାର୍ଟରେ କଂଗ୍ରେସର ଚାଲେଂଜ
ଅଗଷ୍ଟ ୨୪: ଗୋପନୀୟତା ଅଧିକାରକୁ ମୌଳିକ ଅଧିକାର ବୋଲି ଦର୍ଶାଇଲେ ସୁପ୍ରିମ୍ କୋର୍ଟ
୨୦୧୮ ମାର୍ଚ୍ଚ ୭: ସର୍ବଭାରତୀୟ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ନାମାଙ୍କନ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମ୍ କୋର୍ଟଙ୍କ ରାୟ
ମାର୍ଚ୍ଚ ୧୩: ଆଧାର ସଂଯୋଗର ମାର୍ଚ୍ଚ ୩୧ ଅବଧିକୁ ସୁପ୍ରିମ୍ କୋର୍ଟ ସମ୍ପ୍ରସାରଣ କଲେ
ମାର୍ଚ୍ଚ ୨୨: ଆଧାର ତଥ୍ୟ ଲିକ୍ ହୋଇପାରିବ ନାହିଁ ବୋଲି ୟୁଆଇଡିଏଆଇ ସିଇଓଙ୍କ ଦାବି
ଏପ୍ରିଲ୍ ୩: ଆଧାର ଆଇନ ଉତ୍ତମ ଓ ଯଥାର୍ଥ ବୋଲି ସୁପ୍ରିମ୍ କୋର୍ଟରେ କେନ୍ଦ୍ରର ଦାବି
ଏପ୍ରିଲ୍ ୧୭: ଆଧାର ତଥ୍ୟର ଅପବ୍ୟବହାର ହେବା ନେଇ ସୁପ୍ରିମ୍ କୋର୍ଟ ଚିନ୍ତା ପ୍ରକଟ କଲେ
ଏପ୍ରିଲ୍ ୨୫: ମୋବାଇଲ୍ ନମ୍ବର ସହ ଆଧାର ସଂଯୋଗ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମ୍ କୋର୍ଟ
ମେ ୧୦: ରାୟ ସଂରକ୍ଷିତ
ସେପ୍ଟେମ୍ବର ୨୬: ଆଧାର ସମ୍ବିଧାନ ଦୃଷ୍ଟିରୁ ବୈଧ ବୋଲି ସର୍ବୋଚ୍ଚ ଅଦାଲତଙ୍କ ରାୟ
ବର୍ଷକୁ ୯୦ହଜାର କୋଟି ସଞ୍ଚୟ: କେନ୍ଦ୍ର
ନୂଆଦିଲ୍ଲୀ,୨୬/୯: ସୁପ୍ରିମ୍ କୋର୍ଟଙ୍କ ଆଧାର ରାୟକୁ ଐତିହାସିକ ବୋଲି କେନ୍ଦ୍ର ସରକାର ଦର୍ଶ‌ାଇଛନ୍ତି। ଏହାଦ୍ବ‌ାରା ସରକାରୀ ସ୍କିମର ବାଟମାରଣାକୁ ରୋକାଯାଇ ପାରିଛି। ପ୍ରକୃତ ହିତାଧିକା‌ରୀଙ୍କ ନିକଟରେ ଏହା ପହଞ୍ଚୁଛି। ଫଳରେ ବର୍ଷକୁ ସରକାର ୯୦,୦୦୦ କୋଟି ଟଙ୍କା ସଞ୍ଚୟ କରୁଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବୁଧବାର କହିଛନ୍ତି। ସରକାର ସାମାଜିକ ସ୍କିମରେ ଆଧାରକୁ ଜରୁରୀ ଭାବେ ବ୍ୟବହାର କରିବାକୁ ଚାହୁଥିଲେ। ସୁପ୍ରିମ୍ କୋର୍ଟ ଏ ବାବଦରେ ରାୟ ଦେଇଛନ୍ତି। ଏହା ବେଶ୍ ସ୍ବାଗତଯୋଗ୍ୟ।
ସେ କହିଛନ୍ତି, ଯଦିଓ କଂଗ୍ରେସ ଏହାକୁ ପ୍ରଥମେ ଆଣିଥିଲା, କିନ୍ତୁ ବିଜେପି ସରକାର ଏହାକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି। ଭାରତରେ ଏବେ ୧୨୨ କୋଟି ଲୋକଙ୍କ ପାଖରେ ଆଧାର କାର୍ଡ ରହିଛି। ଏହାଦ୍ବାରା ପ୍ରକୃତ ହିତାଧିକ‌ାରୀଙ୍କୁ ଚିହ୍ନଟ କରାଯିବା ସହଜ ହୋଇପାରିଛି। ଏହାକୁ ନକଲ କରାଯାଇ ପାରିବ ନାହିଁ। ଏହାଦ୍ବାରା ନକଲି ହିତାଧିକ‌ାରୀ ମଧ୍ୟ ଚିହ୍ନଟ ହୋଇପାରିବେ।
ଆଧାର ରାୟକୁ ସ୍ବାଗତ କରିବା ସହିତ ଜେଟଲି ୟୁଆଇଡିଏଆଇର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନୀ ଏବଂ ବର୍ତ୍ତମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ଭୂଷଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଧାରରେ ଲୋକଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ଏବଂ ଏହାକୁ ବିଭିନ୍ନ ସ୍କିମରେ ଲାଗୁ କରିବା ପାଇଁ ଏହି ଦୁଇଜଣଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ସେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.