ସମାପ୍ତ ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣନା, ଆପ ପାଇଲା ୬୨ଟି ଆସନ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ ଓ ତାଙ୍କର ଆମ୍‌ ଆଦମୀ ପାର୍ଟି (ଆପ୍‌) ପୁଣିଥରେ ନିଜର କରିସ୍ମା ଦେଖାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ୬୨ ଆସନରେ ଆପ୍‌ର ପ୍ରାର୍ଥୀମାନେ ବିଜୟ ଲାଭ କରି ସାରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀମାନେ ୮ଟି ଆସନରେ ବିଜୟ ଲାଭ କରିଛନ୍ତି |

୭୦ଟି ଆସନ ମଧ୍ୟରୁ ୬୨ଟି ଆସନରେ ବିଜୟ ଲାଭ କରିବା ସହ ଆପ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଆପ୍‌ର ବିଜୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ। ନୂଆଦିଲ୍ଲୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ ୨୧,୦୦୦ରୁ ଅଧିକ ଭୋଟରେ ବିଜୟ ଲାଭ କରିଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେଣୁ, ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦି ଅକ୍ତିଆର କରୁଥିବା ନିଶ୍ଚିତ ହୋଇଛି।

ଏଥରକ ଦିଲ୍ଲୀ ନିର୍ବାଚନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କଂଗ୍ରେସକୁ ଦିଲ୍ଲୀ ଭୋଟରମାନେ ସଂପୂର୍ଣ୍ଣ ରୂପେ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସ ଦିଲ୍ଲୀରେ ନିଜର ଖାତା ଖୋଲିବାରେ ସମର୍ଥ ହୋଇ ନଥିବା ବେଳେ ମାତ୍ର ୪.୨୬ ପ୍ରତିଶତ ଭୋଟ ପାଇଛି । ସେହିପରି ବିଜେପି ୩୮.୫୧ ପ୍ରତିଶତ ଭୋଟ ପାଇଥିବାବେଳେ ଆପ ସର୍ବାଧିକ ୫୩.୫୭ ପ୍ରତିଶତ ଭୋଟ ପାଇଛି |

ସମ୍ବନ୍ଧିତ ଖବର