ଆପ୍‌ ବିଧାୟକଙ୍କ ଭାଗ୍ୟ ଫଏସଲା ଆଜି

ନୂଆଦିଲ୍ଲୀ : ନିର୍ବାଚନ କମିସନଙ୍କ ଦ୍ୱାରା ଅଯୋଗ୍ୟ ଘୋଷିତ ହୋଇଥିବା ଆମ୍‌୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ୨୦ ବିଧାୟକ ଏବେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ଆପ୍‌୍‌ ହାଇକୋର୍ଟରେ ମାମଲା ଦାଏର କରିଥିବା ବେଳେ ଏ ବାବଦରେ କୋର୍ଟ ଆସନ୍ତାକାଲି ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଆପ୍‌ର ଆବେଦନରେ କୁହାଯାଇଛି ଯେ ସାମ୍ବିଧାନିକ ବ୍ୟବସ୍ଥା ଏବଂ ଏ ନେଇ ପ୍ରଚଳିତ ନିୟମକୁ ଅଣଦେଖା କରି ଆପ୍‌ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆପ୍‌ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତ ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ଜାରି ହୋଇସାରିଥିବାରୁ ଏ ବାବଦରେ କୋର୍ଟଙ୍କ ଆଭିମୁଖ୍ୟ କ’ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆପ୍‌ ବିଧାୟକଙ୍କ ଓକିଲ ଦିଲ୍ଲୀ ହାଇକୋର୍ଟରେ ପୂର୍ବରୁ କହିଥିଲେ ଯେ ରାଷ୍ଟ୍ରପତିଙ୍କ ଏ ବାବଦ ଆଦେଶକୁ ତର୍ଜମା କରାଯିବା ପରେ ପୁନଃ ଆବେଦନ କରାଯିବ। ତେଣୁ ଦଳ ଏ ନେଇ କୋର୍ଟରେ ପୂର୍ବରୁ ଥିବା ମାମଲାକୁ ପ୍ରତ୍ୟାହାର କରି ନୂତନ ମାମଲା ରୁଜୁ କରିଛି । ୨୦ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପଛରେ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ରହିଛି ବୋଲି ଆପ୍‌ ନେତାମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର