ଦିଲ୍ଲୀରେ ଆପ୍‌ ସରକାରକୁ ପୁରିଲା ତିନି ବର୍ଷ: ନକଲି ଡିଗ୍ରୀରୁ ନେଇ ସେକ୍ସ ସିଡ଼ି ଯାଏଁ ମାମଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସତ୍ତାରୂଢ ଆମ୍‌ ଆଦ୍‌ମୀ ପାର୍ଟି ସରକାରକୁ ବୁଧବାର ୩ବର୍ଷ ପୂରିଛି। ଏନେଇ ଦଳ ପକ୍ଷରୁ ଦିଲ୍ଲୀରେ ବିକାଶ ଯାତ୍ରାର ଆୟୋଜନ କରାଯାଇ ବିଗତ ୩ବର୍ଷରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ଉପଲବ୍‌ଧିକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଯାଇଛି। ଏହି ସମୟ ଅବଧି ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ଅରବିନ୍ଦ କେଜରୀଓ୍ଵାଲ ନାନା ଦୃଶ୍ୟ ଓ ଅଦୃଶ୍ୟ ଶକ୍ତିର ଶିକାର ମଧ୍ୟ ହୋଇଛନ୍ତି। ଦଳର ବିଭିନ୍ନ ବିଧାୟକ ଓ ମନ୍ତ୍ରୀଙ୍କ ନାମରେ ନକଲି ଡିଗ୍ରୀଠୁ ନେଇ ସେକ୍ସ ସିଡି ଯାଏଁ ବିଭିନ୍ନ ମାମଲା ରୁଜୁ ହୋଇଛି। ଏମିତିକି ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇ କିଛି ମନ୍ତ୍ରୀ ଜେଲ୍‌ ବି ଯାଇଛନ୍ତି। କେବଳ ଏତିକି ନୁହେଁ ବରଂ ଦିଲ୍ଲୀର ଉପ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ସମ୍ପର୍କ କେବେ ଭଲ ନରହିବା କାରଣରୁ ଅନେକ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ ହୋଇପାରିନି।

ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଜରୀଓ୍ଵାଲ ଜଣେ ହାରୁଆ ନେତା ପାଲଟି ଯାଇଥିବା ଚର୍ଚ୍ଚା ହେଉଛି। କାରଣ ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ନିଜ ଟ୍ଵିଟରେ ୧୨୪ଥର ଲେଖିଥିବା କେଜରୀଓ୍ଵାଲ ୨୦୧୭ରେ ମାତ୍ର ୮ଥର ମୋଦିଙ୍କୁ ସିଧାସଳଖ ଟ୍ଵିଟରରେ ବିରୋଧ କରିଛନ୍ତି। ସବୁଠୁ ଗରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ବିଗତ ୧୧ମାସ ମଧ୍ୟରେ କେଜରୀଓ୍ଵାଲ ଥରୁଟିଏ ପାଇଁ ବି ମୋଦିଙ୍କୂ ତାଙ୍କ ଟ୍ଵିଟରେ ଟାର୍ଗେଟ କରିନାହାନ୍ତି। ଗତବର୍ଷ ଦିଲ୍ଲୀର ଉପ ନିର୍ବାଚନ ଓ ନଗର ନିର୍ବାଚନରେ ପରାସ୍ତ ହେବା ପରେ ଆଉ ମୋଦିଙ୍କୁ ଟାର୍ଗେଟ କରିବାର ସାହସ ତାଙ୍କ ପାଖରେ ନଥିବା କୁହାଯାଉଛି।
ଆପ୍‌ ସରକାର ସମୟରେ ହୋଇଥିବା ଏଭଳି ଘଟଣାନାମା ରାଜଧାନୀ ଦିଲ୍ଲୀ ଶାସନ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ୨୦୧୫ ମସିହାରେ ଆଇନ୍‌ ମନ୍ତ୍ରୀ ଜିତେନ୍ଦ୍ର ସିଂ ଭ୍ରଷ୍ଟାଚାର ଓ ଦୁର୍ନୀତି ମାମଲରୋ ଗିରଫ ହେଲେ,୨୦୧୬ରେ ତତ୍କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସନ୍ଦିପ୍‌ କୁମାର ସେକ୍ସ ସ୍କାଣ୍ଡାଲରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କୁ ପୁଲିସ୍‌ ଖାତିର ନକରିବା,ତାଙ୍କ କାର୍‌ ଚୋରୀ ହୋଇଯିବା ଠୁ ନେଇ ଅନେକ ମାମଲାରେ କେଜରୀଓ୍ଵାଲ ପେଶୀ ହୋଇଯାଇଛନ୍ତି। କାର୍ଯ୍ୟଭାର ସମ୍ଭାଳିବା ବେଳେ ୨୦୧୫ରେ ସବୁଦିନ ଖବରକାଗଜର ଆଗ ପୃଷ୍ଠାରେ ସ୍ଥାନ ପାଉଥିବା ଆପ୍‌ ସରକାର ଏବେ କାଁ ଭାଁ କେବେ କେମିତି ଭିତର ପୃଷ୍ଠାରେ ବି ନଜର ଆସିବା ମୁସ୍କିଲ ହୋଇପଡ଼ିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର