ଆରୁଷି ହତ୍ୟା ମାମଲା: ତଲ୍‌ଓ୍ଵାର୍‌ ଦମ୍ପତିଙ୍କୁ ଦୋଷମୁକ୍ତ କରାଯିବା ବିରୋଧରେ ସିବିଆଇ ଆବେଦନକୁ ଗ୍ରହଣ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କନ୍ୟା ଆରୁଷିଙ୍କ ହତ୍ୟା ମାମଲାରେ ଦନ୍ତ ଚିକିତ୍ସକ ଦମ୍ପତି ରାଜେଶ ଏବଂ ନୁପୂର ତଲ୍‌ଓ୍ଵାର୍‌ଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ଚାଲେଞ୍ଜ୍‌ କରି ସିବିଆଇ କରିଥିବା ଆବେଦନ ଉପରେ ଶୁଣାଣି କରିବାକୁ ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟ ରାଜି ହୋଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆରୁଷି ମାମଲାରେ ତଲ୍‌ଓ୍ଵାର୍‌ ଦମ୍ପତିଙ୍କ ଘରୋଇ ଭୃତ୍ୟ ହେମରାଜଙ୍କ ପତ୍ନୀ ଫାଇଲ୍‌ କରିଥିବା ଆବେଦନ ସହ ସିବିଆଇର ଆବେଦନର ଶୁଣାଣି କରାଯିବ। ୨୦୦୮ରେ ହେମରାଜଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।

ଗତବର୍ଷ ଅକ୍ଟୋବର ମାସରେ ମୁକ୍ତ ହୋଇଥିବା ଦନ୍ତ ଚିକିତ୍ସକ ଦମ୍ପତିଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ନୋଟିସ୍‌ ଜାରି କରିଛନ୍ତି।

୨୦୦୮ରେ ନୋଏଡ଼ାରେ ହୋଇଥିବା ଏହି ଡବଲ୍‌ ମର୍ଡର୍‌ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।

ଗତବର୍ଷ ଅକ୍ଟୋବର ୧୨ ତାରିଖରେ ତଲ୍‌ଓ୍ଵାର୍‌ ଦମ୍ପତିଙ୍କୁ ଦୋଷମୁକ୍ତ କରି ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ ରେକର୍ଡ ଉପରେ ଆଧାରିତ ପ୍ରମାଣ ଆଧାରରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ। ସିବିଆଇ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଥିଲେ।

ଏ ବର୍ଷ ମାର୍ଚ ମାସରେ, ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ୍‌ କରି ସିବିଆଇ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲା।

ସମ୍ବନ୍ଧିତ ଖବର